ମାଡି ଆସୁଛି ବାତ୍ୟା : କେରଳ ପାଇଁ ରେଡଆଲର୍ଟ ଜାରି କଲା ଭାରତୀୟ ପାଣିପାଗ ବିଭାଗ

ନୂଆଦିଲ୍ଲୀ : କରଳକୁ ମାଡି ଆସୁଛି ବାତ୍ୟା । ଏମିତି ଆଶଙ୍କା କରିଛି ଭାରତୀୟ ପାଣିପାଗ ବିଭାଗ । ଏନେଇ ଆଇଏମଡି ପକ୍ଷରୁ ରେଡ ଆଲର୍ଟ ବି ଜାରି ହୋଇଛି । ଆସନ୍ତା ୭ ତାରିଖ ସୁଦ୍ଧା ଉଡୁପି, ପଲକ୍କଡ ଓ ତ୍ରିଶୂରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ବ୍ୟକ୍ତ କରିଛି ଆଇଏମଡି । ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି କେରଳ ସରକାରଙ୍କ ପକ୍ଷରୁ ମୁକାବିଲା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି । ନିଜେ ମୁଖ୍ୟମନ୍ତ୍ରୀ ପି ବିଜୟନ ପରିସ୍ଥିତି ସମୀକ୍ଷା କରି ପ୍ରସ୍ତୁତ ରହିବାକୁ ନିର୍ଦେଶ ଦେଇଛନ୍ତି ।

ଗତ କିଛି ମାସ ତଳେ କେରଳରେ ବନ୍ୟା ରାଜ୍ୟର ମେରୁଦଣ୍ଡ ଦୋହଲାଇ ଦେଇଛି । ଏମିତି ବନ୍ୟା କେରଳରେ ଗତ ୧୦୦ ବର୍ଷରେ ଦେଖାଯାଇନଥିଲା ବୋଲି କୁହାଯାଉଛି । ଏହି ବନ୍ୟା ଦ୍ୱାରା ସାରା ରାଜ୍ୟର ଲୋକମାନେ ନାହିଁ ନଥିବା ହିନସ୍ତା ହୋଇଥିଲେ । କିନ୍ତୁ ବୋଧହୁଏ ଏହି ରାଜ୍ୟ ଉପରୁ ପ୍ରକୃତିର କୋପ ଶେଷ ହୋଇନାହିଁ । ଆରବ ସାଗରରେ ସୃଷ୍ଟି ହୋଇଥିବା ଏକ ଲଘୁଚାପ ଆଗାମୀ ଦୁଇ ଦିନ ମଧ୍ୟରେ ଅଧିକ ଘନୀଭୂତ ହୋଇ ଏକ ବାତ୍ୟାର ରୂପ ନେଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାର ପ୍ରଭାବରେ କେରଳ ସମେତ ଆଉ କିଛି ଦକ୍ଷିଣ ଭାରତୀୟ ରାଜ୍ୟ ଯଥା ତାମିଲନାଡୁ, କର୍ଣ୍ଣାଟକ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶରେ ଆସନ୍ତା ୬ ତାରିଖରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ସହିତ ପ୍ରବଳ ବେଗରେ ପବନ ବୋହିବାର ମଧ୍ୟ ସମ୍ଭାବନା ରହିଛି ।