ମାଡି ଆସୁଛି ବାତ୍ୟା ପେଥାଇ, ସୋମବାର ଛୁଇଁବ ସ୍ଥଳ ଭାଗ ଓଡିଶାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର : ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ଅବପାତ ଏବେ ବାତ୍ୟାରେ ପରିଣତ ହୋଇଛି। ଏହା ଚେନ୍ନାଇ ଠାରୁ ପ୍ରାୟ ୭୦୦ କିମି ଦୂରରେ ରହିଥିବା ବେଳେ ମଛଲିପଟ୍ଟନମଠାରୁ ପ୍ରାୟ ୯୦୦ କିମି ଦୂରରେ ଅଛି। ଏହା ବଙ୍ଗୋପସାଗରର ପୂର୍ବ ଓ ଦକ୍ଷିଣ-ପୂର୍ବରେ କେନ୍ଦ୍ରୀଭୂତ ହୋଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ‘ପେଥାଇ’ ଭୀଷଣ ବାତ୍ୟାର ରୂପ ନେବ। ସୋମବାର ଅପରାହ୍ଣରେ ଏହା ଆନ୍ଧ୍ରପ୍ରଦେଶର କାକିନାଡ଼ା ଏବଂ ଓଙ୍ଗଲ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୧୬ ଏବଂ ୧୭ ତାରିଖରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇପାରେ। ରବିବାରଠାରୁ ସାରା ରାଜ୍ୟରେ ବର୍ଷା ହେବା ସହ କୋହଲା ପାଗ ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଅପରପକ୍ଷେ ବାତ୍ୟା ପ୍ରଭାବରେ ସାରା ରାଜ୍ୟରେ ପାଗ କୋହଲା ରହିବା ସହ ଥଣ୍ଡା ପବନ ବହିବ। ଦିନବେଳା ବି ଶୀତ ଅନୁଭୂତ ହେବ। କିନ୍ତୁ ୧୮ତାରିଖରୁ ଅଧିକ ଶୀତ ଅନୁଭୂତ ହେବ। ଏହା ପରଠାରୁ ସପ୍ତାହ ପର‌୍ୟ୍ୟନ୍ତ ପାରଦ ଦିନକୁ ଏକରୁ ଦୁଇ ଡିଗ୍ରି ପର‌୍ୟ୍ୟନ୍ତ କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।