ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା : ଡାକ୍ତରଖାନାରେ ସ୍ଥିତି ସ୍ୱାଭାବିକ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା ଆଜି ପଳୟଙ୍କରୀ ବାତ୍ୟା ଫୋନି ଓ ଏହାର ପରବର୍ତୀ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ନେଇ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି । ସମୀକ୍ଷା ସମୟରେ ବିଭାଗ ପକ୍ଷରୁ ଗ୍ରହଣ
କରାଯାଇଥିବା ବିଭିନ୍ନ ପଦକ୍ଷେପକୁ ନେଇ ମନ୍ତ୍ରୀ ଶ୍ରୀ ଜେନା ସନ୍ତୋଷ ପ୍ରକଟ କରିବା ସହିତ ପ୍ରଭାବିତ ଜିଲ୍ଲାରେ ଥିବା ସ୍ୱାସ୍ଥ୍ୟ ଅନୁଷ୍ଠାନ ଗୁଡିକରେ ସ୍ଥିତି ସ୍ୱାଭାବିକ ଲାଗି ଯୁଦ୍ଧକାଳୀନ ଭିତିରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଆଜି ସମୀକ୍ଷା ସମୟରେ ୫ଟି ସର୍ବାଧିକ କ୍ଷତିଗ୍ରସ୍ତ ଜିଲ୍ଲା ଉପରେ ଗୁରୁତ୍ୱଆରୋପ କରାଯାଇଛି । ସେହିସବୁ ଜିଲ୍ଲା ଗୁଡିକ ହେଲା କଟକ, ଜଗତ୍ସିଂହପୁର, କେନ୍ଦ୍ରାପଡା, ଖୋରଧା ଓ ପୁରୀ । ଏହି ସବୁ ଜିଲ୍ଲାରେ ବର୍ତମାନ ସୁଦ୍ଧା ୭୦୩ଟି ମେଡିକାଲ ରିଲିଫ କେନ୍ଦ୍ର କାର୍ଯ୍ୟ କରୁଛି । ବାତ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ୧୯୪୫ ଜଣ ଆସନ୍ନ ପ୍ରସବାଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୩୭୧ ଜଣଙ୍କର ସୁରକ୍ଷିତ ପ୍ରସବ ହୋଇଛି । ୯୯୩୦ ଜଣ ସାମାନ୍ୟ ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଇଥିବାବେଳେ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ମୋଟ୍ ୧୦୩୧ ସରକାରୀ ଡାକ୍ତରଖାନା ମଧ୍ୟରୁ ୩୦୨ଟିର ପୁନରୁଦ୍ଧାର ହୋଇସାରିଛି । ଅନ୍ୟ ଗୁଡିକୁ ଯୁଦ୍ଧକାଳୀନ ଭିତିରେ ମରାମତି ଲାଗି ମନ୍ତ୍ରୀ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ଯଥେଷ୍ଟ ପରିମାଣର ଆବଶ୍ୟକ ଔଷଧ ମହଜୁଦ ରହିଛି । ଇତି ମଧ୍ୟରେ ଏହି ଜିଲ୍ଲା ଗୁଡିକୁ ୪୩ ଜଣ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ରୋଗ ସର୍ବେକ୍ଷଣ ନିମନ୍ତେ ପଠାଯାଇଛି । ବାତ୍ୟା ସର୍ବାଧିକ କ୍ଷତିଗ୍ରସ୍ତ ପୁରୀ ସମେତ କଟକ, କେନ୍ଦ୍ରାପଡା, ଜଗତ୍ସିଂହପୁର ଓ ଖୋରଧା ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ନିରନ୍ତର ବିଦ୍ୟୁତ ବ୍ୟବସ୍ଥା ହୋଇଛି ।
ଏହାଛଡା ଜଗତ୍ସିଂହପୁର ଜିଲ୍ଲାକୁ ୧୦ଜଣ, କେନ୍ଦ୍ରାପଡାକୁ ୧୧ ଓ ପୁରୀକୁ ୨୬ ଜଣ ଡାକ୍ତରଙ୍କୁ ପଠାଯାଇଛି । ସେହିଭଳି
କଟକରେ ୩୯, ଜଗତ୍ସିଂହପୁରରେ ୩୭, କେନ୍ଦ୍ରାପଡାରେ ୨୩, ଖୋରଧାରେ ୪୧ ଓ ପୁରୀରେ ୫୯ଟି ମେଡିକାଲ ଟିମ୍
ମୁତୟନ ହୋଇଛନ୍ତି । ଜଳ ବିଶୋଧନ ଲାଗି ଖୋଲାରେ ଥିବା ପାନୀୟଜଳ ଉତ୍ସ ଗୁଡିକର ବିଶୋଧନ କାର୍ଯ୍ୟ ଆରମ୍ଭ ହୋଇଛି । ଉପରୋକ୍ତ ୫ଟି ଜିଲ୍ଲାର ୧୨୩୧ଟି ଜଳଉତ୍ସକୁ ଆଜି ସୁଦ୍ଧା ବିଶୋଧନ କରାଯାଇଥିବା ପ୍ରକାଶ । ବାତ୍ୟା ପରବର୍ତୀ ସ୍ୱାସ୍ଥ୍ୟ ସୂଚନାକୁ ବ୍ୟାପକ କରିବାକୁ ମନ୍ତ୍ରୀ ଶ୍ରୀ ଜେନା ବୈଠକରେ ପରାମର୍ଶ ଦେଇଛନ୍ତି । ଏହି ବୈଠକରେ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ରାଜ୍ୟ ମେଡିକାଲ ନିଗମର ପରିଚାଳନା ନିର୍ଦ୍ଦେଶିକା ଅର୍ଚ୍ଚନା ପଟ୍ଟନାୟକ, ଯୁଗ୍ମ ସଚିବ ୟାମିନୀ ଷଡଙ୍ଗୀ, ସ୍ୱତନ୍ତ୍ର ସଚିବ ଡାକ୍ତର ବି.କେ.ବ୍ରହ୍ମା ଓ ଲିଙ୍ଗରାଜ ମିଶ୍ର, ସ୍ୱତନ୍ତ୍ର ସଚିବ ଶରତ ମିଶ୍ରଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।