ମୃତକଙ୍କ ପରିବାରକୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାତ୍ୟା ଫନି ପ୍ରଭାବିତ ପିପିଲି ଅଂଚଳ ଗସ୍ତ କରି ବାତ୍ୟା ବିପନ୍ନଙ୍କୁ ଭେଟିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପିପିଲିର ବିଭିନ୍ନ ପଂଚାୟତକୁ ଯାଇ ସାଧାରଣ ଲୋକଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି । ଏହା ସହ ପିପିଲି ବ୍ଲକର ରୂପଦେଇପୁର ପଂଚାୟତରେ ଫନି ବାତ୍ୟାରେ
ମୃତ୍ୟୁବରଣ କରିଥିବା ହରମୋହନ ଜେନାଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏପରି ସମୟରେ ଧୈର୍ଯ୍ୟର ସହ ପରିସ୍ଥିତିକୁ ମୁକାବିଲା କରିବା ପାଇଁ କହିବା ସହ ଏପରି ସମୟରେ ସମସ୍ତେ ଏକାଠି ହୋଇ କାମ କରିବାକୁ ପରାମର୍ଶ ଦେଇଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ, ଫନିର ତାଣ୍ଡବ ପରେ ସ୍ଥିତିର ମୁକାବିଲା ପାଇଁ ଭାରତ ସରକାରଙ୍କ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଛି । ଓଡିଶାର ପୁନଃରୁଦ୍ଧାର ପାଇଁ ଅର୍ଥ ବାଧକ ସାଜିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିବା ସହ ପ୍ରଥମେ ୩୪୧ କୋଟି ଓ ଏହାପରେ ୧୦୦୦ କୋଟିର ସହାୟତା ଘୋଷଣା କରିଛନ୍ତି । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଓଡିଶାର ପୁନଃନିର୍ମାଣ ଉପରେ ନଜର ରଖିଛନ୍ତି । ଆଜି ଏନେଇ ତାଙ୍କ
ସହ ଦୀର୍ଘସମୟ ଟେଲିଫୋନରେ କଥା ହୋଇଥିବା କଥା ପ୍ରକାଶ କରିଛନ୍ତି । ସେହିପରି ରେଳ, ପେଟ୍ରୋଲିୟମ, ଏନଏଚ
ପରି ମନ୍ତ୍ରଣାଳୟ ତାଙ୍କର କାମକୁ କ୍ଷୀପ୍ର କରିଛନ୍ତି । ଖୁବଶୀଘ୍ର ସ୍ଥିତିରେ ସୁଧାର ଆସିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ରିଲିଫ ଠାରୁ ଆରମ୍ଭ କରି ଆନୁଷଙ୍ଗିକ ସୁବିଧା ଯୋଗାଇବା ପାଇଁ ସେ ରାଜ୍ୟ ମୁଖ୍ୟଶାସନ ସଚିବଙ୍କ ସହ କଥା ହୋଇଥିବା କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଫନି ବାତ୍ୟା ପରେ ସବୁଠାରୁ କ୍ଷତିଗସ୍ତ ପୁରୀ ଜିଲ୍ଲାର ବିଭିନ୍ନ ଅଂଚଳକୁ ଯାଇ ଲୋକମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିବା ସହ ଏହାର ମୁକାବିଲା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି ।