ଭୁବନେଶ୍ୱର : ସ୍ଥଳଭାଗ ଆଡକୁ ମାଡି ଆସୁଛି ମହାବାତ୍ୟା ଅମ୍ଫାନ। ବାତ୍ୟା ଯେତିକି ଯେତିକି ପାଖେଇ ଆସୁଛି, ଏହାର ପ୍ରଭାବ ସେତିକି ସେତିକି ଅନୁଭବ କରି ହେଉଛି। ପାରାଦୀପ ଅତିକ୍ରମ କରି ଅମ୍ଫାନ୍ ଏବେ ଭଦ୍ରକ ଓ ବାଲେଶ୍ୱର ଅଭିମୁଖେ ଗତି କରୁଛି।
ପାରାଦୀପଠାରୁ ବର୍ତ୍ତମାନ ୧୪୦କି.ମି ଦୂରରେ ବାତ୍ୟା ଅମ୍ଫାନ ପଶ୍ଚିମବଙ୍ଗ ଦିଗକୁ ଗତି କରୁଛି । ଏହା ଏବେ ଦୀଘାଠାରୁ ୧୨୫କି.ମି ଦୂରରେ ଥିବା ବେଳେ ବାଂଲାଦେଶରୁ ୨୭୫ କି.ମି ଦୂରରେ ରହିଛି । ବାତ୍ୟା ଘଣ୍ଟାକୁ ୨୯କି.ମି ବେଗରେ ଗତି କରୁଛି ବୋଲି ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ। କିନ୍ତୁ ଏବେ ପାଣିପାଗର ତାଜା ସୂଚନା ଅନୁସାରେ ଅପରାହ୍ନରୁ ସନ୍ଧ୍ୟା ଭିତରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଅମ୍ଫାନ୍। ଅମ୍ଫାନ୍ ଅତିକ୍ରମ କରିବା ସମୟରେ ତୀବ୍ର ବେଗରେ ପବନ ବହିବ । ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାତିଆ ମଧ୍ୟରେ ସୁନ୍ଦରବନ ଅଞ୍ଚଳରେ ସ୍ଥଳଭାଗ ଛୁଇଁବ। ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ଓ ଝଡ଼ବାତ୍ୟା ଚାଲିଛି। ବିଶେଷ କରି ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଳାରେ ଏହାର ପ୍ରକୋପ ଦେଖିବାକୁ ମିଳିଛି। ଏଥିସହ ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା ଓ ମୟୁରଭଞ୍ଜ ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ଜାରି ରହିଛି।