ମହାବାତ୍ୟା ଅମ୍ଫାନ୍ ମୁକାବିଲା ଲାଗି ୪ ବରିଷ୍ଠ ଅଧିକାରୀଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ

ଭୁବନେଶ୍ୱର:ମହାବାତ୍ୟା  ‘ଅମ୍ଫାନ୍’ ଦ୍ୱାରା ରାଜ୍ୟର ୪ଟି ଜିଲ୍ଲା ସର୍ବାଧିକ ପ୍ରଭାବିତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ସୂଚନା  ଅନୁସାରେ  ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ‘ଅମ୍ଫାନ୍’ ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ରହିଛି। ଏହି ୪ ଜିଲ୍ଲାରେ ବାତ୍ୟା ମୁକାବିଲା ତଦାରଖ ଲାଗି ରାଜ୍ୟ ସରକାର ୪ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି।

ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ମଧୁଦୂଦନ ପାଢ଼ୀଙ୍କୁ ବାଲେଶ୍ୱର, ରାଜ୍ୟ ମୁଖ୍ୟନିର୍ବାଚନ ଅଧିକାରୀ ସୁଶିଲ କୁମାର ଲୋହାନିଙ୍କୁ ଭଦ୍ରକ, ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡ଼ା ଓ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ରଙ୍କୁ ଜଗତସିଂହପୁର ଜିଲ୍ଲାର ଦାୟିତ୍ୱ ଦିଆଯାଇଛି। ଏହି ୪ ବରିଷ୍ଠ ଅଧିକାରୀ ମହାବାତ୍ୟା ‘ଅମ୍ଫାନ୍’ର ମୁକାବିଲା କ୍ଷେତ୍ରରେ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଯୋଗାଇବା ସହିତ ସହଯୋଗ କରିବେ। ଏ ନେଇ ସ୍ୱତନ୍ତ୍ର ରିଲିଫ୍ କମିସନର ନିର୍ଦ୍ଦେଶନାମା ଜାରି କରିଛନ୍ତି।

ଅମ୍ଫାନ ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହତିଆ  ଉପକୂଳ ମଧ୍ୟ ଦେଇ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ତେବେ, ୧୯-୨୦ ତାରିଖରେ ଅମ୍ଫାନ୍‌ ଯେତେବେଳେ ଓଡ଼ିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ଓ ବାଂଲାଦେଶ ଅଭିମୁଖେ ଗତି କରିବ ସେତେବେଳେ ରାଜ୍ୟର ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱରଓ ଭଦ୍ରକ ଜିଲ୍ଲାରେ ଗଭୀର ପ୍ରଭାବ ପକାଇବ ବୋଲି ଆକଳନ ହୋଇଛି। କାରଣ ଅମ୍ଫାନର ବାହ୍ୟ ବଳୟ ଏହି ସବୁ ଜିଲ୍ଲା ଉପର ଦେଇ ଗତି କରିବ।