୧୨ ଘଂଟାରେ ବାତ୍ୟା ନେବ ସୁପର ସାଇକ୍ଲୋନିକ ଷ୍ଟର୍ମର ରୂପ

ପ୍ରଭାବରେ ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡା ଓ ଭଦ୍ରକରେ ପ୍ରବଳ ବର୍ଷା ସହ ୧୭୦ କିମି ପବନ ବହିବ

ଭୁବନେଶ୍ୱର: ଭେରି ସିିଭିୟର ସାଇକ୍ଲୋନିକ ଷ୍ଟର୍ମ ଅର୍ଥାତ ଅତି ଭୀଷଣ ବାତ୍ୟାର ରୁପ ନେଇଛି ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆସନ୍ତା ୬ ଘଂଟା ମଧ୍ୟରେ ଏହା ଏକ୍ସଟ୍ରିମଲି ସିିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ । ସମୁଦ୍ର ଭିତରେ ଏହା ଘଂଟାକୁ ୧୩ କିଲୋମିଟର ବେଗରେ ଉତର, ଉତର- ପୂର୍ବ ମୁହାଁ ହୋଇ ମାଡି ଆସୁଛି । ପାରାଦୀପ ଠାରୁ ଏବେ ଦକ୍ଷିଣରେ ୭୯୦ କିଲୋମିଟର ଦୂରରେ ରହିଛି ଅମ୍ଫାନ । ତାହାର ଆଖି ଏବେ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗର ମଧ୍ୟରେ ରହିଛି । ତେବେ ଶେଷ ସୂଚନା ଅନୁସାରେ ସାମୁଦ୍ରିକ ବାତ୍ୟା ଅମ୍ଫାନ ଏବେ ରିକର୍ଭ କରିସାରିଛି ।

ତେଣୁ ଏହା ପରେ ଆସନ୍ତା ୬ ଘଂଟାରେ ଅତି ଭୀଷଣ ସାମୁଦ୍ରିକ ବାତ୍ୟାର ରୂପ ନେବ । ପୂର୍ବାନୁମାନ ଅନୁଯାୟୀ ଏହା ଆସନ୍ତା ୧୨ ଘଂଟା ପର୍ଯ୍ୟନ୍ତ ଉତର ଦିଗରେ ଗତି କରିବ । ତାପରେ ଉତର-ଉତର ପୂର୍ବକୁ ଦିଗ ବଦଳାଇ ଉତର ପଶ୍ଚିମ ବଙ୍ଗୋପସାଗର ଉପରେ ଅତି ତୀବ୍ର ବେଗରେ ଗତି କରିବ । ୨୦ ତାରିଖ ଅପରାହ୍ନରୁ ସଂଧ୍ୟା ମଧ୍ୟରେ ପଶ୍ଚିମବଙ୍ଗର ଦୀଘା ଉପକୂଳ ଓ ବାଂଲାଦେଶର ହାତିଆ ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବା ସ୍ଥଳଭାଗ ଛୁଇଁବ । ଏହି ସମୟରେ ପବନର ବେଗ ଘଂଟାପ୍ରତି ୧୪୫ରୁ ୧୫୫ ଏବଂ ସର୍ବାଧିକ ୧୭୦ କିଲୋମିଟର ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ସ୍ଥଳଭାଗ ଛୁଇଁବାବେଳକୁ ବାତ୍ୟାର ତୀବ୍ରତା କମିଯିବା ନେଇ ଅନୁମାନ କରାଯାଉଛି । ୨୦ ତାରିଖ ସକାଳ ୬ ଟା ପରେ ବାତ୍ୟା ଏକ୍ସଟ୍ରିମିଲି ସିଭିୟର ସାଇକ୍ଲୋନିକ ଷ୍ଟର୍ମରୁ ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ । ସେତବେଳକୁ ବାତ୍ୟାର ତୀବ୍ରତା କିଛିଟା କମି ଯାଇଥିବ ।

ବାତ୍ୟା ଅମ୍ଫାନର ଓଡିଶା ସ୍ଥଳଭାଗ ଛୁଇଁବାର ସମ୍ଭାବନା କମ୍ ରହିଛି । ତେବେ ଏହା ଓଡିଶା ଉପକୂଳର ଅତି ନିକଟରେ ଅତିକ୍ରମ କରିବ । ତେଣୁ ଏହାର ପ୍ରଭାବ ଓଡିଶା ଉପରେ ପଡିବ । ଏହାର ପ୍ରଭାବରେ ଉତର ଅଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ହେବ । ଆଜି ସନ୍ଧ୍ୟାଠାରୁ ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ୧୯ ତାରିଖରେ ଉତର ଓଡିଶା ଏବଂ ଉତର ଅଭ୍ୟନ୍ତରୀଣ ଓଡିଶାର ଜଗତସିଂପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଉଛି । ଏବଂ ପବନର ବେଗ ୭୫ ରୁ ୮୫ ସର୍ବାଧିକ ୯୫ କିଲୋମିଟର ବେଗରେ ରହିବ ।

୨୦ ତାରିଖରେ ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡା ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୨୦ ତାରିଖରେ ଉତରଓଡିଶାରେ ଘଂଟାପ୍ରତି ୧୧୦ ରୁ ୧୨୦ ସର୍ବାଧିକ ୧୩୫ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ସେହି ସମୟରେ ସ୍ଥଳଭାଗ ଛୁଇଁବାକୁ ଥିବା ପଶ୍ଚିମବଙ୍ଗର ପୂର୍ବ ଓ ପଶ୍ଚିମ ମେଦିନପୁର, ଉତର ଓ ଦକ୍ଷିଣ ୨୪ ପାର୍ଗଣା ଅଂଚଳ, ହାଓଡା, ହୁଗୁଳି ଓ କୋଲକାତାରେ ପ୍ରବଳରୁ ପ୍ରବଳ ବର୍ଷା ସାଙ୍ଗକୁ ୧୨୦ ରୁ ୧୪୦ ସର୍ବାଧିକ ୧୫୫ କିଲୋମିଟର ବେଗରେ ପବନ ବହିବାର ଅନୁମାନ କରାଯାଉଛି ।