ଫନି ପାଇଁ ୨ରୁ ସମସ୍ତ ସରକାରୀ ଅନୁଷ୍ଠାନ ଛୁଟି

ଭୁବନେଶ୍ୱର : ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଫନି’ ଭୟଙ୍କର ରୂପ ନେଇ ଓଡ଼ିଶା ଆଡକୁ ମାଡ଼ି ଆସୁଛି । ଏହାକୁ ଦୃଷ୍ଟିରେ ରଖି ୨ ତାରିଖରୁ ସମସ୍ତ ସରକାରୀ ଅନୁଷ୍ଠାନଗୁଡ଼ିକରେ ଛୁଟି ଘୋଷଣା କରାଯାଇଛି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଛୁଟି ଜାରି ରହିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରକାଶ କରିଛନ୍ତି । ସେହିପରି ୨ ତାରିଖ ସୁଦ୍ଧା ପୁରୀ ଛାଡ଼ି ଚାଲିଯିବାକୁ ପର୍ଯ୍ୟଟକଙ୍କୁ କୁହାଯାଇଛି।ଝଡ଼ତୋଫାନ ଓ ବର୍ଷାକୁ ଦୃଷ୍ଟିରେ ରଖି ୩ ଓ ୪ ତାରିଖରେ ସାଧାରଣ ପରିବହନ ବ୍ୟବସ୍ଥା ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି ।

ମେ ୧ସନ୍ଧ୍ୟାରୁ ଓଡ଼ିଶାର ଖୋର୍ଦ୍ଧା, ଗଞ୍ଜାମ, କେନ୍ଦ୍ରାପଡ଼ା ଓ ପୁରୀ ଜିଲାରେ ‘ଫନି’ ପ୍ରଭାବ ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ‘ଫନି’ ବଙ୍ଗୋପସାଗରର ଦକ୍ଷିଣ ପୂର୍ବରେ, ଶ୍ରୀଲଙ୍କାର ତ୍ରିଙ୍କୋମାଲିଠାରୁ ୬୨୦କିମି ପୂର୍ବ ଉତ୍ତର ପୂର୍ବ, ଚେନ୍ନଇଠାରୁ ୮୪୦କିମି ପୂର୍ବ-ଦକ୍ଷିଣ ପୂର୍ବ ଏବଂ ଆନ୍ଧ୍ରପ୍ରଦେଶର ମଛଲିପଟନମଠାରୁ ୯୯୦ କିଲୋମିଟର ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇଛି। ଏବେ ଏହା ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି । ୩ ତାରିଖ ଦିନ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକର ଉଦୟଗିରି ନିକଟରେ ‘ଫନି’ ସ୍ଥଳଭାଗ ଛୁଇଁବ ବୋଲି କୁହାଯାଉଛି। ସ୍ଥଳ ଭାଗ ଛୁଇଁବା ସମୟରେ ଏହାର ଘଣ୍ଟା ପ୍ରତି ବେଗ ପ୍ରାୟ ୧୮୦ରୁ ୧୯୦ କିଲୋମିଟର ଭିତରେ ରହିବ ବୋଲି ସତର୍କ ସୂଚନା ଜାରି କରାଯାଇଛି ।