ଶୁକ୍ରବାର ଅପରାହ୍ନରେ ସ୍ଥଳଭାଗ ଛୁଇଁବ ଫନି

ନୂଆଦିଲ୍ଲୀ : ଅତି ଭୟଙ୍କର ସାମୁଦ୍ରିକ ମହାବାତ୍ୟା ଫନି ଆସନ୍ତା ୩ ତାରିଖ ଶୁକ୍ରବାର ଅପରାହ୍ନ ୫ଟା ୩୦ ମିନିଟରେ ପୁରୀ ନିକଟରେ ସ୍ଥଳଭାଗ ଛୁଇଁବ ବା ଲାଣ୍ଡଫଲ କରିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣପଦ ସେଠୀ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଆସନ୍ତା ୨ ଘଣ୍ଟା ମଧ୍ୟରେ ବାତ୍ୟା ଡପଲର ରାଡାରର ରେଞ୍ଜ ମଧ୍ୟକୁ ଆସିଯିବ । ବାତ୍ୟା ରାଡାର ରେଞ୍ଜ ମଧ୍ୟକୁ ଆସିଲେ ପ୍ରତି ୧୦ ମିନିଟରେ ବାତ୍ୟାର ସ୍ଥିତି ଜାଣିହେବ । ଆସନ୍ତା କାଲି ସୁଦ୍ଧା ଉପକୂଳ ଅଞ୍ଚଳର ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ କାର୍ଯ୍ୟ ଶେଷ ହେବ । ସେ କହିଛନ୍ତି ଯେ ଭାରତୀୟ ବାୟୁସେନା ପକ୍ଷରୁ ଆସିବାକୁ ଥିବା ୨ଟି ହେଲିକାପ୍ଟର ଭୁବନେଶ୍ୱରରେ ରହିବ । ଏଗୁଡ଼ିକର ବ୍ୟବହାର କରି ଉଦ୍ଧାର କାର୍ଯ୍ୟ ଓ ରିଲିଫ ବଣ୍ଟନ କରାଯିବ ।
ଭାରତୀୟ ପାଣିପାଗ ବିଭାଗର ସର୍ବଶେଷ ରିପୋର୍ଟ ଅନୁସାରେ ଫୋନି ଏବେ ପୁରୀଠାରୁ ୬୫୦ କିଲୋମିଟର ଦକ୍ଷିଣ, ଦକ୍ଷିଣ-ପଶ୍ଚିମ ଦିଗରେ ଓ ବିଶାଖାପାଟଣାର ଦକ୍ଷିଣ-ଦକ୍ଷିଣ-ପୂର୍ବଦିଗରେ ୩୯୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇରହିଛି । ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ଉତ୍ତରକୁ ଗତି କରିବ ଓ ତାପରେ ଉତ୍ତରପୂର୍ବ ଦିଗରେ ଗତି କରିବ । ଏକ ଅତି ଭୟାନକ ସାମୁଦ୍ରିକ ବାତ୍ୟାରେ ପରିଣତ ହେବ । ଏହା ଏବେ ଘଣ୍ଟା ପ୍ରତି ୬ କିଲୋମିଟର ବେଗରେ ଗତି କରୁଛି ।