ଭୁବନେଶ୍ୱର: “ହଜାର ବର୍ଷର ପୁରାତନ ସିଲଭର ସିଟି ଭାବେ ପରିଚିତ କଟକ ସହରର ଐତିହ୍ୟ, ସଂସ୍କୃତି, ପରମ୍ପରା, କଳା, ଭାସ୍କର୍ଯ୍ୟ, ସ୍ୱପ୍ନ, ସଂଗ୍ରାମ, ପ୍ରଗତି ଏବଂ ସମୃଦ୍ଧିକୁ କଟକରେ ଅବସ୍ଥିତ ସଂଗ୍ରହାଳୟଗୁଡିକୁ ପରିଦର୍ଶପ କଲେ ବିସ୍ତୃତ ଭାବେ ଜାଣିହେବ । କଟକ କେବଳ ଏକ ସହର ନୁହେଁ ଏହା ସହିତ ଓଡ଼ିଶାର ଆବେଗ ଏବଂ ସ୍ୱାଭିମାନ ଜଡିତ । କଟକରେ ଅବସ୍ଥିତ ଐତିହ୍ୟ ସମ୍ପନ୍ନ ସଂଗ୍ରାହାଳୟ ଗୁଡିକୁ ସମସ୍ତ ତଥ୍ୟକୁ ସନ୍ନିବେଶିତ କରି ଶ୍ରୀ ରାଜା ପରିଜାଙ୍କ ଲିଖିତ ‘କଟକ: ଦି ସିଟି ଅଫ୍ ମ୍ୟୁଜିୟମସ୍’ ଏକ ଉପାଦେୟ ପୁସ୍ତକ । ଏହି ପୁସ୍ତକଟି ପର୍ଯ୍ୟଟକ, ବିଦ୍ୱାନ, ଗବେଷକ, ଛାତ୍ରଛାତ୍ରୀ ଏବଂ ସାଧାରଣ ପାଠକଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହେବ ବୋଲି ଆଶା କରାଯାଏ ।” ଆଜି ପୂର୍ବାହ୍ନରେ ନିଜ ସଚିବାଳୟ ପ୍ରକୋଷ୍ଠରେ ପୁସ୍ତକଟିକୁ ଉନ୍ମୋଚନ କରି ପଚାଂୟତିରାଜ ଓ ପାନୀୟଜଳ, ଗୃହ ଓ ନଗର ଉନ୍ନୟନ ତଥା ଆଇନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଉପରୋକ୍ତ ମତବ୍ୟକ୍ତ କରିଛନ୍ତି ।
‘କଟକ: ଦି ସିଟି ଅଫ୍ ମ୍ୟୁଜିୟମସ୍’ ଶ୍ରୀ ପରିଜାଙ୍କର କଟକର ଐତିହ୍ୟ ଏବଂ ସଂସ୍କୃତି ଉପରେ ଆଧାରିତ ତୃତୀୟ ପୁସ୍ତକ । ପୂର୍ବରୁ “ଦି ସିଲଭର ସ୍ପେଲଣ୍ଡର ଅଫ୍ ମିଳେନିୟମ୍ ସିଟି” ଏବଂ “ନେତାଜୀ ୱାଜ୍ ବର୍ଣ୍ଣ ହିଅର” ଭଳି ୨ଟି ଚମତ୍କାର ପୁସ୍ତକ ଲେଖକଙ୍କ ଦ୍ୱାରା ପ୍ରକାଶିତ ହୋଇସାରିଛି । ଐତିହାସିକ କଟକ ନଗରୀର ସମୃଦ୍ଧ ସଂସ୍କୃତିର ପ୍ରଚାର ପ୍ରସାର ସହ କଟକକୁ ଓଡ଼ିଶାର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀର ବିଶେଷତା ପ୍ରଦାନ ନିମନ୍ତେ ଶ୍ରୀ ପରିଜାଙ୍କ ଏହା ଏକ ଅଭିନନ୍ଦନୀୟ ପ୍ରୟାସ । ଏହି ଉନ୍ମୋଚନ ଅବସରରେ ପୁସ୍ତକର ଲେଖକ ଶ୍ରୀ ପରିଜାଙ୍କ ସମେତ ବହୁ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ ।