କଟକ: ପର୍ଦ୍ଦାଫାସ୍ ହେଉଛି କଟକ ସିରିୟଲ କିଲର ମର୍ଡର ମିଷ୍ଟ୍ରୀ । ତେବେ ଟ୍ୱିନ୍ ସିଟିରେ କିଛି ଦିନ ଧରି ଥ୍ରିଲର ସୃଷ୍ଟି କରିଥିବା ଏହି ସାଇକୋ କିଲରର ଏବେ ଚିତ୍ର ସ୍ପଷ୍ଟ ହୋଇଛି । ଏହି ସନ୍ଦିଗ୍ଧ ବ୍ୟକ୍ତି ଜଣକ ହେଉଛନ୍ତି ନୟାଗଡ ଓଡଗାଁ ସୁନାମୁହିଁ ଗାଁର ନାରାୟଣ ସାହୁ । ଏବେ ନାରାୟଣ ସାହୁ ବିଷୟରେ ପୋଲିସ ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକାରୀ ତଥ୍ୟ ପଦାକୁ ଆଣୁଛି ।
ଏହି ହତ୍ୟାକାଣ୍ଡ ନେଇ ପୋଲିସ ଫୋରେନସିକ୍ ଟେଷ୍ଟ କରିଥିଲା । ଏବେ ସିରିୟଲ କିଲିଙ୍ଗକୁ ନେଇ ବହୁ ଲୋମଟାଙ୍କୁରା ତଥ୍ୟ ପର୍ଦ୍ଦାଫାସ୍ ହୋଇଛି । ରିପୋର୍ଟ ଅନୁଯାୟୀ, ସମସ୍ତ ୩ଟି ହତ୍ୟା ଘଟଣା ସମାନ ଧରଣର ହୋଇଥିଲା । ହତ୍ୟାକାରୀ ପ୍ରଥମେ ଘାତକ ଅସ୍ତ୍ରରେ ଅସ୍ତ୍ରାଘାତ କରୁଥିଲା ଏବଂ ଏହାପରେ ତଣ୍ଟି କାଟୁଥିଲା । ଏହି ୩ଟି ହତ୍ୟାକାଣ୍ଡ ମୃତ୍ତକମାନେ ଚିତ୍ ହୋଇ ଶୋଇଥିବା ସମୟରେ ଆକ୍ରମଣ ହୋଇଛି । ଟାଙ୍ଗିଆ ଭଳି ଓଜନିଆ କିମ୍ବା ଧାରୁଆ ଅସ୍ତ୍ରରେ ସେମାନଙ୍କୁ ହତ୍ୟା କରାଯାଇଛି । ହାଣିବା ପରେ ଲୋକଙ୍କୁ ଛଟପଟ ହେଉଥିବା ଦେଖି ମଜା ନେଉଥିଲେ ନାରାୟଣ ।
ଉଲ୍ଲେଖଯୋଗ୍ୟ, ଡିସିପି ଅଖିଳେଶ୍ୱର ସିଂହ କହିଛନ୍ତି କି, ଘଟଣା ପରଠୁ ହତ୍ୟାକାରୀ ଫେରାର ଥିଲା । ତାକୁ ଧରିବା ଲାଗି ପୋଲିସ ପକ୍ଷରୁ ୫ଟି ସ୍ପେଶାଲ ଟିମ୍ ଗଠନ କରି ଗଞ୍ଜାମ, ଭଦ୍ରକ, ବାଲେଶ୍ୱର, ପୁରୀ ଓ କଟକରେ ଛାନଭିନ୍ ଚାଲିଥିଲା । ଆଜି ସକାଳେ ଏହି ସିରିୟଲ କିଲର ଧରା ପଡିଛି ।
କଟକରେ ୩ଜଣଙ୍କୁ ପଥରରେ ଛେଚି ହତ୍ୟା କରାଯିବା ପରେ ଲୋକଙ୍କ ମଧ୍ୟରେ ଷ୍ଟୋନମ୍ୟାନର ଆତଙ୍କ ବଢି ଯାଇଥିଲା । ତେବେ ଏହି ୩ଟି ହତ୍ୟାକାଣ୍ଡ ଏକା ପ୍ରକାରର ହୋଇଥିବା କାରଣରୁ ଜଣେ ସାଇକୋ ବ୍ୟକ୍ତି ଏଭଳି କରୁଥିବା ପୋଲିସ କମିଶନର ସନ୍ଦେହ କରୁଥିଲେ । ଆଜି ଏହି ଘଟଣାରେ ପର୍ଦ୍ଦାଫାସ୍ ହୋଇଛି । ତେବେ ଏହି ଷ୍ଟୋନମ୍ୟାନ କେବଳ କଟକରେ ନୁହେଁ ପଡୋଶୀ ଜଗତସିଂହପୁର ଜିଲ୍ଲାରେ ଆତଙ୍କ ଖେଳାଇଛି । ଗତ ଜୁନ ୨୮ ବିଳମ୍ବିତ ରାତ୍ରୀରେ ଏହି ଷ୍ଟୋନମ୍ୟାନ ପାରାଦୀପ ନେହେରୁ ବଙ୍ଗଳା ନିକଟରେ ଶୋଇଥିବା ଦୁଇ ଶ୍ରମିକଙ୍କୁ ପଥରରେ ଛେଚି ହତ୍ୟା କରିଥିବା ସନ୍ଦେହ କରାଯାଉଛି ।