ବିନା ଶ୍ରଦ୍ଧାଳୁରେ କଟକରେ ଦୁର୍ଗା ପୂଜାକୁ ଅନୁମତି

କଟକ : କଟକରେ ଦୁର୍ଗାପୂଜାକୁ ମିଳିଲା ଅନୁମତି। ମଣ୍ଡପରେ ପୂଜା ପାଇବେ ମା’ ଦୁର୍ଗା। ବିନା ଶ୍ରଦ୍ଧାଳୁରେ ପୂଜା କମିଟି ଗୁଡିକ ଦୁର୍ଗାପୂଜା କରି ପାରିବେ ବୋଲି କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ମାତ୍ର ସାର୍ବଜନୀନ ଦୁର୍ଗାପୂଜାକୁ ଅନୁମତି ନାହିଁ। ମନ୍ଦିରରେ ପୂଜା ପାଇଲା ପରି ମଣ୍ଡପରେ ପୂଜା ପାଇ ପାରିବେ ମୃଣୟୀ ପ୍ରତିମା। ଜିଲ୍ଲାପାଳଙ୍କ ଏଭଳି ନିଷ୍ପତ୍ତିକୁ କଟକ ସହରର ବିଭିନ୍ନ ପୂଜା କମିଟି ସ୍ୱାଗତ କରିଛନ୍ତି।

ସୂଚନାଯୋଗ୍ୟ, କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ବର୍ଷ କଟକରେ ମଣ୍ଡପରେ ଦୁର୍ଗାପୂଜା ହେବ ନାହିଁ ବୋଲି ଜିଲ୍ଲାପାଳ କହିଥିଲେ। କଟକରେ ଦୁର୍ଗାପୂଜା ହେଲେ ସହରରେ ସାମାଜିକ ଦୂରତା ରହିବ ନାହିଁ। ଏହାକୁ ଦୃଷ୍ଟିରେ ରଖି ପୂଜା ବନ୍ଦ ରଖିବାକୁ ଜିଲ୍ଲାପାଳ ନିଷ୍ପତ୍ତି ନେଇଥିଲେ। ମାତ୍ର ଆଜି ବିନା ଶ୍ରଦ୍ଧାଳୁରେ ଜିଲ୍ଲାପାଳ ମଣ୍ଡପରେ ପୂଜାକୁ ଅନୁମତି ଦେଇଛନ୍ତି।