କଟକର ଐତିହାସିକ ଦୁର୍ଗାପୂଜା କଟକଣା ମଧ୍ୟରେ ହେବ ସଂପନ୍ନ

କଟକ: କରୋନା ଭାଇରସ ମହାମାରୀ ଯୋଗୁଁ ଚଳିତ ବର୍ଷ କଟକର ଐତିହାସିକ ଦୁର୍ଗାପୂଜା କଟକଣା ମଧ୍ୟରେ ସଂପନ୍ନ ହେବ। ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଜିଲ୍ଲାପାଳ ସୂଚନା ଦେଇଛନ୍ତି ଯେ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଦୁର୍ଗାପୂଜା ମଣ୍ଡପ ଗୁଡ଼ିକରେ ସାଜସଜ୍ଜା ହେବ ନାହିଁ। ସେହିଭଳି ଲୋକଙ୍କର ଗହଳି ମଧ୍ୟ ହୋଇପାରିବ ନାହିଁ। ନିୟମ ନ ମାନିଲେ କଡ଼ାକାର୍ଯ୍ୟାନୁଷ୍ଠାନ ନିଆଯିବ।

ସୂଚନାଯୋଗ୍ୟ, କଟକର ଦୁର୍ଗାପୂଜା ସମଗ୍ର ଦେଶରେ ପ୍ରସିଦ୍ଧି ଲାଭ କରିଛି। ସହରର ୨୦ରୁ ଅଧିକ ପୂଜା କମିଟି ରୁପା ମେଢ଼ କରିଥାନ୍ତି। କିଛି ସ୍ଥାନରେ ମା’ ଦୁର୍ଗାଙ୍କ ମୁକଟ ସୁନା ଅଳଂକାରରେ ତିଆରି ହୋଇଛି। ଭାଇଚାରାର ସହର କଟକରେ ପ୍ରାୟ ୧୫୦ରୁ ଉର୍ଦ୍ଧ୍ୱ ପୂଜା କମିଟି ଦ୍ୱାରା ବଡ଼ ଧରଣର ଦୁର୍ଗା ପୂଜାର ଆୟୋଜନ କରାଯାଇଥାଏ। ଦୁର୍ଗାପୂଜାକୁ ଭବ୍ୟତାର ସହିତ ପାଳନ କରିବା ପାଇଁ କିଛି ପୂଜା କମିଟି ୫୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଥାନ୍ତି। ବ୍ୟବସାୟୀମାନେ ଏହି ସମୟରେ ଭଲ ବ୍ୟବସାୟ କରିଥାନ୍ତି। ଏଥି ଲାଗି ସେମାନେ ବହୁ ଦିନ ଆଗରୁ ପ୍ରସ୍ତୁତି କରିଥାନ୍ତି।