ନିର୍ଭୟା ମାମଲା: ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ପିଟିସନ୍ ଖାରଜ

ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ଆବେଦନ କରାଯାଇଥିବା ୨ଟି କ୍ୟୁରେଟିଭ୍ ପିଟିସନ୍ ର ଶୁଣାଣି କରି ସୁପ୍ରିମକୋର୍ଟ ଏହାକୁ ଖାରଜ କରିଛନ୍ତି । ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠରେ କ୍ୟୁରେଟିଭ୍ ପିଟିସନ୍ ଖାରଜ କରାଯାଇଥିବାବେଳେ ୪ ଅଭିଯୁକ୍ତ ନିର୍ଦ୍ଧାରିତ ସମୟ ଦିନ ଫାଶୀ ପାଇବା ନିଶ୍ଚିତ ହୋଇସାଇଛି ।

ଫାଶୀ ଦଣ୍ଡ ପାଇଥିବା ୪ ଜଣଙ୍କ ମଧ୍ୟରୁ ବିନୟ ଓ ମୁକେଶ କ୍ୟୁରେଟିଭ ପିଟିସନ୍ ଦାଖଲ କରିଥିଲେ। ବିଚାରପତି ଏନ ଭି ରମନ୍ନା, ଅରୁଣ ମିଶ୍ରା, ଆର୍‌ ଏଫ୍‌ ନରିମାନ୍‌, ଆର୍‌ ଭାନୁମତୀ ଏବଂ ଅଶୋକ ଭୂଷଣଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ମଙ୍ଗଳବାର ଆବେଦନକୁ ଖାରଜ କରିଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ୪ ଜଣଙ୍କୁ ଆସନ୍ତା ୨୨ ତାରିଖ ସକାଳ ‌୭ଟାରେ ତିହାର ଜେଲରେ ଫାଶୀ ଦିଆଯିବ। ପଟିଆଲା ହାଉସ କୋର୍ଟର ଅତିରିକ୍ତ ସେସନ୍ସ ଜଜ୍ ସତୀଶ କୁମାର ଅରୋରା ଦୋଷୀମାନଙ୍କୁ ଡେଥ୍ ୱାରେଂଟ ବା ମୃତ୍ୟୁ ପରୱାନା ଶୁଣାଇ ସାରିଛନ୍ତି। ଏଥିଲାଗି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚାଲିଛି।  ସୁପ୍ରିମ କୋର୍ଟଙ୍କ  ଏହି ଶୁଣାଣି ଉପରେ ସାରା ଦେଶର ନଜର ରହିଥିଲା।