କଟକ ବାଲିଯାତ୍ରା ପଡ଼ିଆରେ ତୈଳ ଏବଂ ଗ୍ୟାସ ପାଭିଲିଅନ ଉଦ୍ଘାଟିତ

କଟକ/ଭୁବନେଶ୍ୱର: କଟକ ବାଲିଯାତ୍ରା ପଡ଼ିଆ (ତଳ ପଡ଼ିଆ)ଠାରେ ଆୟୋଜିତ ହେଉଥିବା ଓଡ଼ିଶାର ଐତିହାସିକ ବାଲିଯାତ୍ରା ପଡ଼ିଆରେ ଆଜି ଅପରାହ୍ନରେ ଷ୍ଟଲ ନଂ ‘ଏ୧ ଏବଂ ଏ୨’ଠାରେ ତୈଳ ବିପଣନ ଉଦ୍ୟୋଗ ଏବଂ ଗ୍ୟାସ କମ୍ପାନୀଗୁଡ଼ିକ ମିଳିତ ଭାବେ “ତୈଳ ଏବଂ ଗ୍ୟାସ ପାଭିଲିଅନ” ଆୟୋଜିତ କରିଛନ୍ତି । ଏହି ପାଭିଲିଅନକୁ ମାନ୍ୟବର ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ କୁମାର ନାୟକ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଶୁଭଜିତ ଘୋଷ, ପେଟ୍ରୋଲିୟମ ଏବଂ ପ୍ରାକୃତକ ଗ୍ୟାସ ମନ୍ତ୍ରଣାଳୟର ରାଜ୍ୟସ୍ତରୀୟ ସଂଯୋଜକ ତଥା ସିଜିଏମ୍, ଇଣ୍ଡିଆନ୍ଅଏଲ ଏବଂ ତୈଳ ଏବଂ ଗ୍ୟାସ୍ ବିପଣନ କମ୍ପାନୀର ଉଚ୍ଚପଦସ୍ଥ ଅଧିକାରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ ।

ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଉଦ୍ବୋଧନ ଦେବାକୁ ଯାଇ ଶ୍ରୀ ନାୟକ କହିଥିଲେ ଯେ, “ପୂର୍ବଭାରତର ବିକାଶ ନେଇ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ଯେଉଁ ଲକ୍ଷ୍ୟ ରହିଛି ଏହାକୁ ସାକାର କରିବାକୁ ଯାଇ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ, ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଅନେକ ପଦକ୍ଷେପ ହାତକୁ ନେଇଛି । ଓଡ଼ିଶାରେ ଗତ ୫ ବର୍ଷ ମଧ୍ୟରେ ପ୍ରାୟ ୧.୩୫ ଲକ୍ଷ କୋଟି ଟଙ୍କା ପୁଞ୍ଜି ନିବେଶ କରାଯାଇଛି । ଏଥିମଧ୍ୟରୁ କିଛି ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଆଉକିଛି ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି । ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶାନୁଯାୟୀ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଦ୍ୱାରା ଓଡ଼ିଶାରେ ଉଜ୍ଜ୍ୱଳା ହିତାଧିକାରୀଙ୍କ ସଂଖ୍ୟା ୪୭ଲକ୍ଷରେ ପହଁଚିପାରିଛି । ଏହି ଉଜ୍ଜ୍ୱଳା ଯୋଜନା ଦ୍ୱାରା ଓଡ଼ିଶାର ମା’ ଓ ଭଉଣୀମାନେ ବେଶ୍ ଉପକୃତ ହୋଇଛନ୍ତି ଏବଂ ଆଗାମୀ ଦିନରେ ଆହୁରି ଅନେକ ହିତାଧିକାରୀ ଏହାର ଲାଭ ଉଠାଇବେ । ୨୦୧୪ ମସିହାରେ ଓଡ଼ିଶାରେ ସମୁଦାୟ ଏଲ୍ପିଜି ସଂଯୋଗୀକରଣ ୨୦ଲକ୍ଷ ଥିବାବେଳେ ଆଜି ୨୦୧୯ରେ ଏହା ପ୍ରାୟ ୭୮ଲକ୍ଷରେ ପହଁଚିପାରିଛି ଏବଂ ଏହା କେବଳ ଉଜ୍ଜ୍ୱଳା ଯୋଜନାର ସଫଳତା ଓ ଉପାଦେୟତା ଯୋଗୁ ସମ୍ଭବ ହୋଇପାରିଛି । କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଦ୍ୱାରା ବହୁ ବିକାଶୋନ୍ମୁଖୀ ପ୍ରକଳ୍ପମାନ ଆରମ୍ଭ କରାଯାଇଛି । ସେଥିମଧ୍ୟରେ ବରଗଡ଼ଠାରେ ଇଥାନଲ ପ୍ଲାଣ୍ଟ (୧୨୦୦କୋଟି), ଖୋର୍ଦ୍ଧା, ରାୟଗଡ଼ା ଓ ବଲାଙ୍ଗୀରଠାରେ ବଟ୍ଲିଂ ପ୍ଲାଣ୍ଟ, ଭଦ୍ରକଠାରେ ଟେକ୍ସଟାଇଲ ପାର୍କ, ଚଣ୍ଡିଖୋଲଠାରେ ଷ୍ଟ୍ରାଟେଜିକ୍ ଅଶୋଧିତ ପେଟ୍ରୋଲିୟମ ଖାଦାନ ଆଦି ମଧ୍ୟ ସ୍ଥାନ ପାଇଛି ।

ଏହି ବାଲିଯାତ୍ରାକୁ ଆସୁଥିବା ହଜାର ହଜାର ଲୋକମାନେ ଆମର ଏହି ପ୍ରଦର୍ଶନୀ ମାଧ୍ୟମରେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ ଅଭିନବମୂଳକ ପଦକ୍ଷେପ ସମ୍ପର୍କରେ ସୂଚନା ପାଇବା ସହ ଏ ସମ୍ପର୍କରେ ସଚେତନ ହେବେ । ମୁଁ ଏହି ପ୍ରଦର୍ଶନୀକୁ ଉଦ୍ଘାଟନ କରିବାର ସୁଯୋଗ ପାଇଥିବାରୁ ବେଶ୍ ଭାଗ୍ୟବାନ ମନେ କରୁଛି ।” କଟକ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ହୋଇଥିବା ଏହି ତୈଳ ଏବଂ ଗ୍ୟାସ ପାଭିଲିୟନ ଠାରେ ତୈଳ ଏବଂ ଗ୍ୟାସ ଉଦ୍ୟୋଗମାନଙ୍କ ଦ୍ୱାରା ଓଡ଼ିଶାରେ ବିଭିନ୍ନ ପ୍ରକଳ୍ପ ସୂଚନା (ବର୍ତ୍ତମାନ ଚାଲିଥିବା ଏବଂ ଆଗାମୀ ଦିନର ପ୍ରକଳ୍ପମାନ), ଓଡ଼ିଶା ତଥା ସମଗ୍ର ଦେଶରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅଭିବୃଦ୍ଧିର ସଫଳ ଯାତ୍ରା, ଦକ୍ଷତା ବିକାଶ ପ୍ରତିଷ୍ଠାନ, କୋଣାର୍କଠାରେ ଇଣ୍ଡିଆନ୍ ଅଏଲ୍ ଫାଉଣ୍ଡେସନର ବାଖ୍ୟାନ କେନ୍ଦ୍ର ଆଦି ପ୍ରଦର୍ଶିତ ହେଉଅଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୧୪ ମସିହାରେ ଓଡ଼ିଶାରେ ଏଲ୍ପିଜି ବ୍ୟବହାର ୨୦%ରୁ ବୃଦ୍ଧି ହୋଇ ୨୦୧୯ ମସିହା ନଭେମ୍ବର ମାସ ସୁଦ୍ଧା ଏହା ୮୧.୩% (୬୧.୩% ବୃଦ୍ଧି)ରେ ପହଞ୍ଚିଛି । ଏଲ୍ପିଜି ଉପଭୋକ୍ତାଙ୍କ ସଂଖ୍ୟାରେ ମଧ୍ୟ ୩୩୫% ବୃଦ୍ଧି ଘଟି ୧ ନଭେମ୍ବର ୨୦୧୯ ସୁଦ୍ଧା ୨୦.୨୨ ଲକ୍ଷରୁ ୮୭.୯୬ ଲକ୍ଷରେ ପହିଁଚିପାରିଛି । ତୈଳ ଉଦ୍ୟୋଗ ଆଧାରରେ ଏଲ୍ପିଜି ଉପଭୋକ୍ତା, ବିତରଣ ନେଟ୍ୱର୍କଙ୍କ ସଂଖ୍ୟାକୁ ପୂର୍ଣ୍ଣ କରି ଏହାର ସଂଖ୍ୟା ମଧ୍ୟ ୩୭୮ରୁ ବୃଦ୍ଧି ଘଟି ୧ ନଭେମ୍ବର ୨୦୧୯ ସୁଦ୍ଧା ୯୨୮ରେ ପହଁଚିପାରିଛି । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଅନ୍ତର୍ଭୁକ୍ତ ଉପଭୋକ୍ତାମାନେ ନିଜର ୧୪.୨ କିଲୋଗ୍ରାମ ସିଲିଣ୍ଡରକୁ ବଦଳାଇ ଏହା ପରିବର୍ତ୍ତେ ୫ କିଲୋଗ୍ରାମର ସିଲିଣ୍ଡର ନେଇପାରିବେ, ଯାହାକି ପ୍ରାରମ୍ଭିକ ପର୍ଯ୍ୟାୟରେ ଖର୍ଚ୍ଚ ହ୍ରାସ କରିବା ସହ ଏହାର ଆକାର କ୍ଷୁଦ୍ର ହେଇଥିବାରୁ ଏହାକୁ ସହଜରେ ସ୍ଥାନାନ୍ତରଣ କରାଯାଇ ପାରିବ ।

ଏହି ଉଦ୍ଘାଯନୀ ସମାରୋହ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଦେବାଶିଷ ପାଲିତ, ରାଜ୍ୟମୁଖ୍ୟ, (ଓଡ଼ିଶା ଏବଂ ଝାଡ଼ଖଣ୍ଡ), ବିପିସିଏଲ୍, ଶ୍ରୀ ଦିନବନ୍ଧୁ ସୋରେନ, ସିଜିଏମ୍, ଗେଲ୍, ଶ୍ରୀ ସଞ୍ଜୟ ଶର୍ମା, ବିପିସିଏଲ୍, ଶ୍ରୀ ସଞ୍ଜୟ କୁମାର ଝା, ଆଇଓସିଏଲ୍, ଶ୍ରୀ ଧର୍ମେନ୍ଦ୍ର ବେଉରା, ଏଚ୍ପିସିଏଲ୍, ଶ୍ରୀ ଅଭୟଙ୍କର ଦାଶ, ଏଚ୍ପିସିଏଲ୍ ତଥା ଅନ୍ୟାନ୍ୟ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏହି ପାଭିଲିୟନରେ ଏଲ୍ପିଜି ବ୍ୟବହାରକାରୀଙ୍କ ନିମନ୍ତେ ଏକ ସୁରକ୍ଷା ସଚେତନତା ବାର୍ତ୍ତା ପ୍ରଦାନ କରାଯାଉଥିବା ବେଳେ, ଓଡିଶାରେ ତୈଳ ଉଦ୍ୟୋଗମାନଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପମାନ ତଥା ବର୍ତ୍ତମାନ ଓ ଭବିଷ୍ୟତରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସୂଚନା ପ୍ରଦାନ କରାଯାଉଛି । ଏପରି ସୂଚନାଗୁଡିକ ବିଷୟରେ ଅବଗତ ହୋଇ ଆଗନ୍ତୁକମାନେ ବେଶ୍ ପ୍ରଶଂସା କରିଛନ୍ତି ।