ଆସ୍କା/ପାରାଦ୍ୱୀପ:ରାଜ୍ୟରେ ବଢ଼ୁଥିବା ଡକାୟତି ଓ ହତ୍ୟା ଉପରେ ରୋକ୍ ଲଗାଇବାକୁ ଓଡ଼ିଶା ପୋଲିସ ଏବେ ତତ୍ପର ହୋଇପଡ଼ିଛି । ଅପରାଧିଙ୍କ ନିଦ ହଜାଇ ଦେଇଛି ପୋଲିସ । ବିଭିନ୍ନ ସ୍ଥାନରେ ଚାଲିଛି ଏନ୍କାଉଣ୍ଟର । ପୁଣି ଆସ୍କା ଓ ପାରାଦ୍ୱୀପରେ ପୋଲିସ ଏନ୍କାଉଣ୍ଟର୍ କରିଛି । ଏଥିରେ ଦୁଇ ଜଣ ଦୁର୍ଦ୍ଦାନ୍ତ ଗୁରୁତର ହୋଇଥିବାବେଳେ ଜଣେ ଖସି ପଳାଇ ଯିବାରେ ସଫଳ ହୋଇଛି ।
ଆସ୍କା ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁପ୍ରସାଦ ସ୍ୱାଇଁ ଆହତ ହୋଇଛି । ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଚାରିମହଲ ଛକ ନିକଟରେ ଆଜି ଭୋରୁ ଏହି ଏନକାଉଣ୍ଟର ହୋଇଛି । ତା’ର ବାମ ଗୋଡ଼ରେ ଗୁଳି ବାଜିଛି । ତାକୁ ପ୍ରଥମେ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ବ୍ରହ୍ଣପୁର ଏମ୍କେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏହି ସମୟରେ ତା’ର ସହଯୋଗୀ ଥିବା କାଳୁ ବିଶ୍ୱାଳୁ ଫେରାର ହୋଇଯାଇଛି । ଗୁରୁ ନିକଟରୁ ପୁଲିସ ଗୋଟିଏ ପିସ୍ତଲ ଓ ଦୁଇଟି ଗୁଳି ଜବତ କରିଛି। ତା’ ନାଁରେ ଚୋରି, ଡକାୟତି, ହତ୍ୟା ଓ ରାହାଜାନୀ ଭଳି ୧୩ଟି ମାମଲା ବିଭିନ୍ନ ଥାନାରେ ରହିଛି।
ସେହିପରି ପାରାଦ୍ୱୀପ କୁଜଙ୍ଗ ପୋଲିସର ଏନ୍କାଉଣ୍ଟରରେ ବିକ୍ରମ ପାଲ ଓରଫ୍ ଡନ୍ ଆହତ ହୋଇଛି । ଡନ୍ର ଦୁଇ ଗୋଡ଼ରେ ଗୁଳି ବାଜିଛି । କଙ୍କରଡିଆ ରାସ୍ତାରେ ଏହି ଏନକାଉଣ୍ଟର ହୋଇଛି । ତାକୁ ଗୁରୁତର ଅବସ୍ଥାରେ କଟକ ଏସ୍ସିବି ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ଦୁଇ ଦିନ ହେଲା କଟକ ଭୁବନେଶ୍ୱର କମିଶନରେଟ୍ ପୋଲିସ ଏନ୍କାଉଣ୍ଟର କରି 5 ଜଣ ଅପରାଧିଙ୍କୁ କାବୁ କରିଛି ।