ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣା: ଏସଆଇ ସମେତ ୩ ପୋଲିସ କର୍ମଚାରୀ ନିଲମ୍ବିତ

ହାଇଦ୍ରାବାଦ: ହାଇଦ୍ରାବାଦରେ ଜଣେ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ନୃଶଂସ ଭାବେ ହତ୍ୟା ଘଟଣାରେ ପୋଲିସ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି । ତେଲେଙ୍ଗାନା ପୋଲିସ ଶନିବାର ଜଣେ ଏସଆଇଙ୍କ ସମେତ ୩ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛି । ସାଇବରାବାଦ ପୋଲିସ କମିଶନର ଭିସି ସଜ୍ଜନାରଙ୍କ ଦ୍ୱାରା ୩ ଜଣ ପୋଲିସ କର୍ମଚାରୀ ଚାକିରିରୁ ନିଲମ୍ବନ ହୋଇଛନ୍ତି ।

ମୃତକ ମହିଳା ଡାକ୍ତରଙ୍କ ପରିବାର ଲୋକେ ଅଭିଯୋଗ ଆଣିଥିଲେ ଯେ, ସାଇବରାବାଦ ପୋଲିସ ତାଙ୍କ ବାରମ୍ବାର ଥାନାକୁ ଦୌଡ଼ାଇଥିଲା । ଯଦି ପୋଲିସ ତତ୍କାଳ କାର୍ଯ୍ୟାନୁଷ୍ଠାନ ନେଇଥାନ୍ତା, ତା’ହେଲେ ପୀଡ଼ିତାଙ୍କ ଜୀବନ ବଞ୍ଚିପାରିଥାନ୍ତା । ପୀଡ଼ିତାଙ୍କ ମା’ କହିଛନ୍ତି, ଘଟଣା ପରେ ମୋର ସାନ ଝିଅ ଅଭିଯୋଗ ଦେବା ପାଇଁ ଥାନାକୁ ଯାଇଥିଲା କିନ୍ତୁ ଥାନା ଶମଶାବାଦ ପଠାଇ ଦେଇଥିଲା । ପୋଲିସ କାର୍ଯ୍ୟାନୁଷ୍ଠାନ କ କରି କହିଥିଲା ଯେ, ଏହି ମାମଲା ତାଙ୍କର ଅନ୍ତର୍ଭୁକ୍ତ ନୁହେଁ । ପରେ ପୀଡ଼ିତାଙ୍କ ପରିବାର ପରିବାର ଲୋକଙ୍କ ସହିତ ପୋଲିସ ପୀଡ଼ିତାଙ୍କୁ ଖୋଜିବାକୁ ଲାଗିଥିଲା କିନ୍ତୁ ଘଟଣାର ପରଦିନ ଭୋର ୪ଟା ପର୍ଯ୍ୟନ୍ତ କୌଣସି ଖବର ମିଳି ନ ଥିଲା । ପୀଡ଼ିତାଙ୍କ ଭଉଣୀ କହିଛନ୍ତି, ଏକ ପୋଲିସ ଷ୍ଟେସନରୁ ଅନ୍ୟ ପୋଲିସ ଷ୍ଟେସନ ଯିବାରେ ଆମର ବହୁ ସମୟ ନଷ୍ଟ ହୋଇଯାଇଥିଲା । ଯଦି ପୋଲିସ ସମୟ ନଷ୍ଟ ନ କରି କାର୍ଯ୍ୟାନୁଷ୍ଠାନ ନେଇଥାନ୍ତା, ତା’ହେଲେ ମୋର ଭଉଣୀ ଆଜି ଜୀବୀତ ଥାନ୍ତା ।

ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣାକୁ ନେଇ ଦେଶର ଚାରିଆଡେ ଉତ୍ତେଜନା ଦେଖାଯାଇଛି । ତେଲେଙ୍ଗାନା ସମେତ ଅନେକ ରାଜ୍ୟରେ ଶନିବାର ଏହି ନୃଶଂସ କାଣ୍ଡ ବିରୋଧରେ ପ୍ରଦର୍ଶନ ଦେଖିବାକୁ ମିଳିଛି । ହାଇଦ୍ରାବାଦରେ ଅଭିଯୁକ୍ତମାନଙ୍କୁ କୋର୍ଟରେ ହାଜର କରାଯିବା ସମୟରେ ପ୍ରଦର୍ଶନକାରୀମାନେ ଶାଦନଗର ପୋଲିସ ଷ୍ଟେସନ ଘେରାଉ କରିଛନ୍ତି ଏବଂ ଏମାନେ ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରିଛନ୍ତି । ଉତ୍ତେଜିତ ପୋଲିସ କର୍ମଚାରୀମାନେ ପୋଲିସ ଉପରକୁ ଚପ୍ପଲ ଫିଙ୍ଗିଛନ୍ତି । ଫଳରେ ପୋଲିସ ଲୋକଙ୍କୁ ଅଟକାଇବା ପାଇଁ ଲାଠିଚାର୍ଜ ମଧ୍ୟ କରିଛି । ସୂଚନାଯୋଗ୍ୟ ୪ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବା ପରେ ଜେଲ ପଠାଇ ଦିଆଯାଇଛି ।