ଡବଲ ମର୍ଡର : ଗୁଣି ଗାରେଡ଼ି ସନ୍ଦେହରେ ସ୍ୱାମୀ-ସ୍ତ୍ରୀଙ୍କୁ ହତ୍ୟା, ୨ ଅଟକ

ମାଲକାନଗିରି:  ମାଲକାନଗିରିରେ ଡବଲ ମର୍ଡର।  ଗୁଣି ଗାରେଡ଼ି ସନ୍ଦେହରେ ସ୍ୱାମୀ-ସ୍ତ୍ରୀଙ୍କୁ  କରାଯାଇଛି ହତ୍ୟା । ମାଲକାନଗିରି ଥାନା ଅନ୍ତର୍ଗତ ପେଣ୍ଡାଲଗୁଡ଼ା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ଏଠାରେ ସ୍ୱାମୀ ସ୍ତ୍ରୀଙ୍କୁ ଶୁକ୍ରବାର ରାତିରେ ହତ୍ୟା କରା ଯାଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ମୃତକମାନେ ହେଲେ ସୋମା ମାଡ଼ି(୫୦) ଓ ତାଙ୍କ ସ୍ତ୍ରୀ ସୁକ୍ରି ମାଡ଼ି (୪୫)। ହତ୍ୟା ଅଭିଯୋଗରେ ପୁଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଛି।

ପୁଲିସର ସୂଚନା ଅନୁସାରେ ଗାଁର ମୁକା ମାଡ଼କାମୀଙ୍କର  ଗତ ବର୍ଷ ଠାରୁ ଗୋଡ଼ ଫୁଲିଥିଲା। ସେହିପରି ଲଖମା ମାଡ଼କାମୀଙ୍କ ସ୍ତ୍ରୀଙ୍କର ମଧ୍ୟ ଗୋଡ଼ ଫୁଲିଥିଲା। ଗତବର୍ଷ ଲଖମା ମାଡ଼କାମୀଙ୍କର ୧୦ ବର୍ଷ ବୟସର ଝିଅର ମୃତ୍ୟୁ ହୋଇଥିଲା। ସେହିଦିନ ଠାରୁ ମୁକା ମାଡକାମୀ ଓ ଲଖମା ମାଡକାମୀ  ସୋମା ମାଡ଼ି ଓ ତାଙ୍କର ସ୍ତ୍ରୀ ସୁକ୍ରିଙ୍କ ଉପରେ ଗୁଣିଗାରେଡ଼ି କରିଥିବା ନେଇ ସନ୍ଦେହ କରି ଆସୁଥିଲେ। ଗତକାଲି ରାତିରେ ସୁଯୋଗ ଦେଖି ମାଡ଼ି ଦମ୍ପତିଙ୍କୁ ହତ୍ୟା କରିଥିଲେ ବୋଲି ଅଭିଯୋଗ ହୋଇଛି । ହତ୍ୟା ଖବର ପାଇ ପୁଲିସ ଆଜି ସକାଳୁ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲା। ବ୍ୟବଚ୍ଛେଦ ପରେ ସଂପର୍କୀୟଙ୍କୁ ଶବ ହସ୍ତାନ୍ତର କରିଛି ପୁଲିସ । ପୁଲିସ ଘଟଣାର ତଦନ୍ତ କରିବା ସହିତ ଅଭିଯୁକ୍ତ ୨ ବ୍ୟକ୍ତିଙ୍କୁ ଅଟକ ରଖିଛି।

ମାଲକାନଗିରିରେ ଗୁଣି ଗାରେଡ଼ିକୁ କେନ୍ଦ୍ର କରି ପୂର୍ବରୁ ମଧ୍ୟ ହତ୍ୟାକାଣ୍ଡ ଘଟଣା ସାମନାକୁ ଆସିଛି। ଗତ ମେ’ ମାସରେ ମଧ୍ୟ ମାଲକାନଗିରି ଜିଲ୍ଲାରେ ଏଭଳି ଅନ୍ଧ ବିଶ୍ୱାସରେ ଜଣେ ନାବାଳକକୁ ହତ୍ୟା କରାଯାଇଥିଲା। ମାଲକାନଗିରି ଥାନା ଅର୍ନ୍ତଗତ ତେଡାକୋଣ୍ଡା ପଂଚାୟତର କେନ୍ଦୁଗୁଡ଼ା ଗାଁରେ ଜଣେ ନାବାଳକଙ୍କୁ ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା କରାଯାଇଥିଲା। ଗତ ଫେବ୍ରୁଆରି ମାସ ଠାରୁ ମେ’ ମାସ ମଧ୍ୟରେ ଗାଁରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଗାଁ ଲୋକେ ନାବାଳକଙ୍କ ଉପରେ ସନ୍ଦେହ କରିଥିଲେ ଏବଂ ହତ୍ୟା ଘଟଣାରେ କେନ୍ଦୁଗୁଡ଼ା ଗାଁର ୬ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିଲା।