ପୋଲସରା: ପୁଅ ସାଜିଲା ରାକ୍ଷସ, ବାପାଙ୍କୁ ହତ୍ୟା ପରେ ମାକୁ ମାଡ଼ ମାରି କଲେ ଲହୁଲୁହାଣ । ଗଞ୍ଜାମ ଜିଲ୍ଲା ପୋଲସରା ବ୍ଳକ ଅନ୍ତର୍ଗତ କଳମ୍ବ ବଡ଼ସାହିରେ ଆଜି ଏଭଳି ଏକ ହତ୍ୟାକାଣ୍ଡ ଘଟଣା ଘଟିଛି । ମିଳିଥିବା ସୂଚନା ମୁତାବକ ଏହି ଗାଁରେ ରହୁଥିବା ଅଭିମନ୍ୟୁ ପ୍ରଧାନ(୬୦)ଙ୍କୁ ତାଙ୍କର ଦୁଇ ପୁଅ ସୁଶାନ୍ତ ଓ ମଙ୍ଗୁଳୁ ପ୍ରଧାନ ଗତକାଲି ରାତିରେ ହତ୍ୟା କରିବା ସହ ଆଜି ମା ଅପସରା ପ୍ରଧାନକୁ ମାଡ ମାରିଥିଲେ । ଅପସରାଙ୍କୁ ଗୁରୁତର ଅବସ୍ଥାରେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ଘଟଣାରୁ ପ୍ରକାଶ ଯେ କଳମ୍ବ ବଡସାହିର ଅଭିମନ୍ୟୁ ପ୍ରଧାନଙ୍କ ତିନି ପୁଅ ଓ ଗୋଟିଏ ଝିଅ କାଠ କାମ ସହ ଦିନ ମଜୁରିଆ ଭାବରେ କାମ କରନ୍ତି। ଅଭାଵ ଓ ଅନାଟନ ମଧ୍ୟରେ ପରିବାର ଗୁଜୁରାଣ ମେଣ୍ଟାନ୍ତି। ଅଭିମନ୍ୟୁଙ୍କ ବଡ଼ପୁଅ ଟୁନା ପ୍ରଧାନଙ୍କୁ ପୂର୍ବରୁ ଦୁଇ ପୁଅ ସୁଶାନ୍ତ ଓ ମଙ୍ଗୁଳୁ ଦୁଇ ଭାଇ ମିଶି ପଥରରେ ଛେଚି ହତ୍ୟା କରିଥିଲେ । କିଛି ଦିନ ପରେ ବାପା ଅଭିମନ୍ୟୁ ଦୁଇ ପୁଅଙ୍କୁ ଜାମିନରେ ଆଣିଥିଲେ। ଗତକାଲି ରାତିରେ କୌଣସି କାରଣକୁ ନେଇ ଅଭିମନ୍ୟୁଙ୍କ ଦୁଇ ପୁଅ ହତ୍ୟା କରିଥିଲେ ।
ଆଜି ସକାଳେ ଏହି ଖବର ଜଣାପଡିବା ପରେ ସାହିର କିଛି ବ୍ୟକ୍ତି ଥାନାକୁ ଫୋନ କରିଥିଲେ। ପୋଲସରା ପୁଲିସ ଘଟଣା ସ୍ଥଳରେ ପହଞ୍ଚିବାବେଳକୁ ଅଭିମନ୍ୟୁଙ୍କ ମୃତ୍ୟୁ ହୋଇଥିବା ବେଳେ ମା ଅପସରା ପ୍ରଧାନଙ୍କୁ ଗୁରୁତର ଅବସ୍ଥାରେ ପୋଲସରା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଯାଇଥିଲା । ଦୁଇ ହତ୍ୟାକାରୀ ସୁଶାନ୍ତ ଓ ମଙ୍ଗୁଳୁଙ୍କୁ ପୁଲିସ ଧରି ଥାନାକୁ ଆଣି ଅଟକ ରଖିଛନ୍ତି। ଝିଅ ସୁଶୀଳା ପ୍ରଧାନଙ୍କ ଏତଲା କ୍ରମେ ଘଟଣା ପରେ ସାଇଣ୍ଟିଫିକ ଟିମ ପହଞ୍ଚି ରକ୍ତଭିଜା ଲୁଗା ସଂଗ୍ରହ କରିଛନ୍ତି। ପୋଲସରା ଥାନା କେସ ନଂ୧୫୧/୨୦୨୦ରେ ମକଦ୍ଦମା ରୁଜୁ କରାଯାଇଛି ।