ଶୋଇଥିବା ଅବସ୍ଥାରେ ମା’ ଓ ୭ ବର୍ଷର ଝିଅକୁ ହତ୍ୟା

କେନ୍ଦୁଝର: ଶୋଇଥିବା ଅବସ୍ଥାରେ ଜଣେ ମହିଳା ଓ ତାଙ୍କର ୭ ବର୍ଷର ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତେବେ ମହିଳାଙ୍କ ୫ ବର୍ଷର ପୁଅ ଆକ୍ରମଣକାରୀଙ୍କ ଆକ୍ରମଣରୁ ବର୍ତ୍ତି ଯାଇଥିବା ଜଣାପଡ଼ିଛି। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ଶଙ୍କରପୁର ଗାଁ ଧଳାଡିହି ସାହିରେ ଗତକାଲି ବିଳମ୍ବିତ ରାତିରେ ଏହି ଡବଲ୍‌ ମର୍ଡର ହୋଇଛି।

ସୂଚନା ଅନୁସାରେ, ସମ୍ପୃକ୍ତ ମହିଳା, ତାଙ୍କର ୭ ବର୍ଷର ଝିଅ ଓ ୫ ବର୍ଷର ପୁଅ ଘର ଭିତରେ ଶୋଇଥିବା ବେଳେ କେହି ଜଣେ ଦୁର୍ବୃତ୍ତ ଆସି ସେମାନଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ତେବେ ଉକ୍ତ ମହିଳାଙ୍କ ୫ ବର୍ଷର ପୁଅ ଏଥିରୁ ବର୍ତ୍ତି ଯାଇଛନ୍ତି।

ଶୁଣିବାକୁ ମିଳୁଛି, ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ଏକ ହତ୍ୟା ମାମଲାରେ ବନ୍ଦୀ ଜୀବନ କାଟୁଛନ୍ତି। ସେ ଯାହାକୁ ହତ୍ୟା କରିଛନ୍ତି, ହୁଏତ ସେମାନଙ୍କର କେହି ସମ୍ପର୍କୀୟ ଏଭଳି କାଣ୍ଡ ଘଟାଇଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ହେଲେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନାହିଁ। ଘଟଣାସ୍ଥଳରେ ଚମ୍ପୁଆ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।