ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ଭାଇର ମୃତ୍ୟୁ

ଅନୁଗୁଳ:  ଅନୁଗୁଳ ଜିଲ୍ଲା ସମଲ ଥାନା ସିପୁର ଗାଁରେ ପାରିବାରିକ କଳହକୁ ନେଇ ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ଭାଇର ମୃତ୍ୟୁ। ପାରିବାରିକ କଳହରୁ ହତ୍ୟା ସନ୍ଦେହ। ଅଭିଯୁକ୍ତ ସାନଭାଇକୁ ଥାନାରେ ଅଟକ ରଖି ତଦନ୍ତ କରୁଥିବା ସୂଚନା ଦେଇଛନ୍ତି ଅନୁଗୁଳ ଏସପି।

ଘଟଣା ମୁତାବକ, ଦୁଃଖ ବାରିକଙ୍କ ଦୁଇ ପୁଅ ରଞ୍ଜନ ଓ ନିରଞ୍ଜନ ଏକ ସେଲୁନ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ। ଦୋକାନରୁ ଆୟ ହେଉଥିବା ଅର୍ଥକୁ ନେଇ ଗତକାଲି ସନ୍ଧ୍ୟାରେ ଦୁଇ ଭାଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ରାତ୍ରଭୋଜନ ପରେ ଘରର ସମସ୍ତେ ଶୋଇଥିବା ବେଳେ ସାନଭାଇ ନିରଞ୍ଜନ ଏକ ଟାଙ୍ଗିଆରେ ବଡ଼ଭାଇ ରଞ୍ଜନଙ୍କୁ ଆକ୍ରମଣ କରିଥିଲା, ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ଅନୁସନ୍ଧାନରୁ ବ୍ୟବସାୟରୁ ଆୟ ଅର୍ଥକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳରୁ ହତ୍ୟାକାଣ୍ଡ ଘଟିଥିବା ସମଲ ଥାନାଧୀକାରିଣୀ ସୂଚନା ଦେଇଛନ୍ତି।