ଗୁଣିଗାରେଡି ନେଲା ଦମ୍ପତ୍ତିଙ୍କ ଜୀବନ !

ଯାଜପୁର: କଳିଙ୍ଗନଗର ଥାନା ନିମପଲ୍ଲୀ ଗାଁ ସୁରୀସାହି ଆଦିବାସୀ ବସ୍ତିରେ ଘଟିଛି ଅଭାବନୀୟ କାଣ୍ଡ। ଗୁଣିଗାରେଡି ସନ୍ଦେହରେ ଘରେ ନିଆଁ ଲଗାଇ ଆଦିବାସୀ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା ସନ୍ଦେହ।

ଏବେ ବି ଲୋକଙ୍କ ମନରେ ଲୁଚି ରହିଛି ଅନ୍ଧବିଶ୍ୱାସ । ଏମିତି ଏକ ଅନ୍ଧ ବିଶ୍ୱାସର କାହାଣୀ ପୁଣି ସାମ୍ନାକୁ ଆସିଛି ଯାଜପୁର ଜିଲ୍ଲାରୁ । ଗୁଣିଗାରେଡ଼ି ସନ୍ଦେହରେ ଦୁଇ ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

ନିମପଲ୍ଲୀର ସୁରି ବସ୍ତିରେ ରହୁଥିବା ଆଦିବାସୀ ଦମ୍ପତ୍ତିଙ୍କୁ ଜିଆନ୍ତା ପୋଡ଼ି ମାରି ଦିଆଯାଇଥିବା ସନ୍ଦେହ କରାଯାଉଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ତେବେ ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ଏହି ଆଦିବାସୀ ଦମ୍ପତ୍ତି ବହୁଦିନ ଧରି ଝଡ଼ାଫୁଙ୍କା କରୁଥିଲେ । ପୂର୍ବରୁ ଏଥିପାଇଁ ସାହି ପଡ଼ିଶା ସହ ତାଙ୍କର ଗଣ୍ଡଗୋଳ ମଧ୍ୟ ହୋଇଥିଲା । ପୋଲିସ ପ୍ରାଥମିକ ତଦନ୍ତରୁ ଏହା ଅନୁମାନ କରୁଛି ଯେ, ଗୁଣିଗାରେଡ଼ି କାରଣରୁ ଏହି ହତ୍ୟାକାଣ୍ଡ ଘଟିଥାଇ ପାରେ ।

ରବିବାର ବିଳମ୍ବିତ ରାତିରେ ଆଦିବାସୀ ଦମ୍ପତ୍ତିଙ୍କ ଘରେ ନିଆଁ ଲଗାଇ ଦିଆଯାଇଥିବା ବେଳେ ସେମାନେ ଘର ଭିତରେ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ତେବେ ନିଆଁ ଲାଗିବାରୁ କାରଣ ଏଯାଏଁ ଅସ୍ପଷ୍ଟ ରହିଛି । ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ଦୁଇଟି ଜୀବନ୍ତ ଦଗ୍ଧ ମୃତଦେହ ଠାବ କରିବା ସହ ତଦନ୍ତ ଜାରି ରଖିଛି ।