ବନମାଳୀପୁରରେ ଭୟଙ୍କର ବାଣ ବିସ୍ଫୋରଣରେ ଦମ୍ପତିଙ୍କର ମୃତ୍ୟୁ,ଉଡିଗଲା ଘର

ଭୁବନେଶ୍ବର : ରାଜଧାନୀ ଉପକଣ୍ଠ ବାଲିପାଟଣା ବନମାଳୀପୁରରେ ଭୟଙ୍କର ବାଣ ବିସ୍ଫୋରଣ । ବାଣ ବିସ୍ଫୋରଣରେ ଦମ୍ପତିଙ୍କର ମୃତ୍ୟୁ ଘଟିଛି । ତେବେ ଦୁଇ ଝିଅ ସ୍କୁଲ ଯାଇଥିବାରୁ ବର୍ତ୍ତି ଯାଇଛନ୍ତି। କିନ୍ତୁ ବିସ୍ପୋରଣ ଏତେ ଭୟଙ୍କର ଥିଲା ଯା ପାଖ ଘର ବି ଉଡ଼ିଯାଇଛି ।

ଭୟଙ୍କର ବିସ୍ଫୋରଣ। ଛିନଛତ୍ର ହୋଇଯାଇଛି ଘର । ଆଉ ଏମିତି ବିସ୍ଫୋରଣରେ ମଣିଷର ଅବସ୍ଥା କଣ ହୋଇଥିବ। ଯାହାର ଚିତ୍ର ଆମେ ଆପଙ୍କୁ ଦେଖାଇ ହିଁ ପାରିବୁନି। ଏତେ ହୃଦୟ ବିଦାରକ। ବିସ୍ଫୋରଣ ଘଟିଛି ରାଜଧାନୀ ଉପକଣ୍ଠ ବାଲିପାଟଣା ବନମାଳୀପୁର ଗାଁରେ। ଗାଁର ଜ୍ଞାନରଞ୍ଜନ ମିଶ୍ର ଓ ତାଙ୍କ ପତ୍ନୀ ଗୀତୀଞ୍ଜି ମିଶ୍ର ଝୁନୁଙ୍କ ମୃତ୍ୟୁ ହୋଇଛି।  ଉଭୟଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇପଡ଼ିଛି। ଘରଠାରୁ ୧୦୦ ମିଟର ଦୂରରେ ମୃତଦେହ ପଡ଼ିଛି। ସେଠାରୁ ଖଣ୍ଡେ ଦୂରରେ ପଡ଼ିଛି ଜ୍ଞାନରଞ୍ଜନଙ୍କ ହାତ । ବିସ୍ଫୋରଣରେ ଆଖପାଖ ଅଞ୍ଚଳ ଥରି ଉଠିଥିଲା ।  ଘର ଛାତର ଭଗ୍ନାବଶେଷ  ୨୦୦ ମିଟର ଦୂରରେ ପଡ଼ିଥିବା ଦେଖିବାକୁ ମିଳିଛି ।  ନିକଟରେ ଥିବା ଅନ୍ୟ ଘର ଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

ଘଟଣାସ୍ଥଳରେ ପୋଲିସ ଅଧିକାରୀ ପହଞ୍ଚି ତଦନ୍ତ କରୁଛନ୍ତି। ଫୋରେନ୍‌ସିକ୍‌ ଟିମ୍‌ ତନ୍ନତନ୍ନ କରି ଯାଞ୍ଚ କରୁଛନ୍ତି । ବେଆଇନ ଭାବେ ସେଠାରେ ବାଣ ତିଆରି ହେଉଥିଲା ବୋଲି ଭୁବନେଶ୍ବର ଡିସିପି କହିଛନ୍ତି । ସତର୍କତା ନଥିବାରୁ ବିସ୍ଫୋରଣ ଘଟିଥିଲା ।  ଦୀପାବଳୀ ଆସୁଥିବା ବେଳେ ଭୁବନେଶ୍ବରରେ ବେଆଇନ ବାଣ କାରବାରକୁ ବନ୍ଦ କରାଯିବ। ଏଥିପାଇଁ ପୋଲିସ ଆଡଭାଇଜରୀ ଜାରି କରିବ। ବେଆଇନ ଭାବେ ବାଣ ତିଆରି ହେଉଥିବାର ଖବର ମିଳିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଜ୍ଞାନରଞ୍ଜନଙ୍କ ଭାଇଙ୍କ୨୦୦୧ରେ ସେହି ବାଣ ବିସ୍ଫୋରଣରେ ମୃତ୍ୟୁ ହୋଇଥିଲା। ଏମିତିକି ଗାଁରେ ଅନ୍ୟ କିଛି ଘରେ ମଧ୍ୟ ବାଣ ଭିଡ଼ାହେଉଥିବା ଚର୍ଚ୍ଚା ହେଉଛି । କେବଳ ବନମାଳି ପୁର ନୁହେଁ ଗତ କିଛି ଦିନ ହେଲା ବାରମ୍ବାର ବିଭିନ୍ନ ସ୍ଥାନରେ ଏମିତି ବିସ୍ଫୋରଣ ଘଟି ପ୍ରଭୂତ କ୍ଷୟକ୍ଷତି ହୋଇଛି। ସବୁଠି ସେହି ଗୋଟିଏ କାରଣ ବାଣ ତିଆରି ବେଳେ ବିସ୍ଫୋରଣ। ତେବେ ପୋଲିସ ଯଦି ଆଗୁଆ ଯାଞ୍ଚ କରିଥାନ୍ତା ହୁଏତ ଏହି ବେଆଇନ ବାଣ ତିଆରି ଉପରେ ରୋକ ଲଗାଯାଇପାରିଥାନ୍ତା।