ଝାରସୁଗୁଡା : ଝାରସୁଗୁଡା ବେଲପାହାଡ ବାଣ କାରଖାନାରେ ବିସ୍ଫୋରଣ । ଘଟଣାସ୍ଥଳରେ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତାହତ ସଂଖ୍ୟା ଆହୁରି ବଢିବା ଆଶଙ୍କା ରହିଛି । ବିସ୍ଫୋରଣରେ ବାଣ କାରଖାନା ଛାରଖାର ହୋଇ ଯାଇଛି | ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି |
ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣ ଏମିତି ଯେ ଘର ଦ୍ବାର ଭାଙ୍ଗି ଛିନଛତ୍ର ହୋଇଯାଇଛି । ଏ ଦୃଶ୍ୟ ହିଁ ବୟାନ କରୁଛି ବିସ୍ଫୋରଣର ଭୟାବହତା । ଝାରସୁଗୁଡା ବେଲପାହାଡ ମିର୍ଦ୍ଧାରୋଡରେ ଥିବା ଏକ ବାଣ କାରଖାନାରେ ଏଭଳି ବିସ୍ଫୋରଣ ଘଟିଛି । ଘଟଣାରେ ସୁଶାନ୍ତ ଧୁରୁଆଙ୍କ ମୃତ୍ୟୁ ହୋଇଛି। ସୁଶାନ୍ତଙ୍କ ମୃତଦେହ ଅତି ବୀଭତ୍ସ ଭାବେ ପଡିଛି ଏଠାରେ । ମୃତକଙ୍କ ନାଁ ସୁଶାନ୍ତ ଧୁରୁଆ । ସକାଳ ପ୍ରାୟ ୧୦ ଟା ୪୦ ମିନିଟ୍ରେ ଏହି ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣରେ ପୂରା ବେଲପାହଡ ସହର ଥରି ଉଠିଥିଲା । ଘଟଣାସ୍ଥଳକୁ ଧାଇଁଥିଲେ ଲୋକେ । ସେତବେଳକୁ ବାଣ କାରଖାନାର ୨ ନମ୍ବର ସେଡଟି ସଂପୂର୍ଣ୍ଣ ଧ୍ବସ୍ତ ବିଧ୍ବସ୍ତ ହୋଇଯାଇ ଥିବା ବେଳେ ଘରେ ନିଆଁ ଲାଗିଯାଇଥିଲା ।
ନେତ୍ରାନନ୍ଦ ମାଝୀଙ୍କ ୧୨ଟି ସେଡ୍ ବିଶିଷ୍ଟ ଜଗନ୍ନାଥ ବାଣ କାରଖାନାରେ ପ୍ରାୟ ୨୦ ଜଣ ଶ୍ରମିକ କାମ କରୁଥିଲେ । ବାଣ ଭିଡା ଚାଲିଥିବା ବେଳେ ୨ନମ୍ବର ସେଡ୍ରେ ବିସ୍ଫୋରଣ ଘଟିଥିଲା। ବ୍ରଜରାଜନଗର ,ବେଲପାହଡ ଓ ଲଖନପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ବାରାନ୍ବିତ କରାଇଥିଲେ | ଅଗ୍ନିଶମ ବିଭାଗର ୩ଟି ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଘଟଣାସ୍ଥଳରେ ଏସ୍ପି ଓ ସାଇଣ୍ଟିଫିକ ଟିମ୍, ବମ ସ୍କ୍ବାର୍ଡ ସହ ପହଞ୍ଚି ତଦନ୍ତ କରିଛନ୍ତି । ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଯାଇଥିଲା ।
ଏହି ବାଣ ଫ୍ୟାକ୍ଟ୍ରିରେ ୨୦୦୩ରେ ମଧ୍ୟ ବିସ୍ପୋରଣ ହୋଇଥିଲା। ଯେଉଁଥିରେ ପିତବାସ ପ୍ରଧାନ ନାମକ ଜଣେ ଶ୍ରମିକଙ୍କ ଗୋଟିଏ ଆଖି ନଷ୍ଟ ହୋଇଥିଲା | କମ କ୍ଷମତାସଂପନ୍ନ ବାଣ ତିଆରି କରିବାକୁ ଲାଇସେନ୍ସ ହାତେଇଥିବା କାରଖାନାର ମାଲିକ ଏଠାରେ ବହୁ ଉଚ୍ଚ କ୍ଷମତାସଂପନ୍ନ ବାଣ ତିଆରି କରି ଚାଲାଣ କରୁଥିବା ଅଭିଯୋଗ କରିଛନ୍ତି ଲୋକେ ।ତେଣୁ କାରଖାନାର ଲାଇସେନ୍ସ ରଦ୍ଦ କରିବାକୁ ଦାବି ହୋଇଛି ।