ଦେଶରେ କମୁଛି କରୋନା ସଂକ୍ରମଣ, ବଢୁଛି ଆରୋଗ୍ୟ ହାର

ନୂଆଦିଲ୍ଲୀ : କରୋନା ଜନିତ ଆରୋଗ୍ୟ କ୍ଷେତ୍ରରେ ଭାରତ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଦେଶରେ କରୋନା ଆରୋଗ୍ୟ ହାର ୮୮ ପ୍ରତିଶତରୁ ଅଧିକ ରହିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ମୋଟ୍‍ ଆରୋଗ୍ୟ ଲୋକଙ୍କ ସଂଖ୍ୟା ୬୫ ଲକ୍ଷ ୯୭ ହଜାରରୁ ଊର୍ଦ୍ଧ୍ବରେ ପହଞ୍ଚିଛି। ଗତ ୨୪ଘଣ୍ଟା ଭିତରେ ୭୨ ହଜାରରୁ ଊର୍ଦ୍ଧ୍ବ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏହି ସମୟ ମଧ୍ୟରେ ୬୧ ହଜାର ୮୭୧ଟି ନୂଆ କରୋନା ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ୍‍ ସଂକ୍ରମିତଙ୍କ ସଂଖ୍ୟା ୭୪ ଲକ୍ଷ ଟପିଛି। ଚିକିତ୍ସିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା ଓ ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ମଧ୍ୟରେ ତାରତମ୍ୟ ବୃଦ୍ଧି ପାଇଛି। ବର୍ତ୍ତମାନ ଚିକିତ୍ସାଧୀନ ଥିବା ମୋଟ ସଂକ୍ରମିତଙ୍କ ସଂଖ୍ୟା ୭ ଲକ୍ଷ ୮୩ ହଜାର ରହିଛି ଯାହା ମୋଟ୍‍ ସଂକ୍ରମଣର ୧୦.୪୫ ପ୍ରତିଶତ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ଦେଶରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଦ୍ୱାରା କେନ୍ଦ୍ର ସରକାରଙ୍କ ଚିକିତ୍ସା ସମ୍ପର୍କିତ ନିର୍ଦ୍ଦେଶାବଳୀ ଠିକ୍‍ ରୂପେ ପାଳନ ଏବଂ ଡାକ୍ତର, ଚିକିତ୍ସା ସହାୟକ କର୍ମଚାରୀ ଓ ଚିକିତ୍ସା କ୍ଷେତ୍ରରେ କାର୍ଯ୍ୟରତ ଅନ୍ୟ କର୍ମୀମାନଙ୍କ ଉତ୍ସର୍ଗୀକୃତ ସେବା ଯୋଗୁଁ ଆରୋଗ୍ୟ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଉଛି। ଭାରତ ବିଶ୍ୱର ଏକମାତ୍ର ଦେଶ ଯେଉଁଠି କରୋନା ଆରୋଗ୍ୟ ହାର ସର୍ବାଧିକ ରହିଥିବା ବେଳେ ମୃତ୍ୟୁହାର ସର୍ବନିମ୍ନ ରହିଛି।

ଦେଶରେ କରୋନା ଜନିତ ମୃତ୍ୟୁହାର ୧.୫୨ ପ୍ରତିଶତ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧ ହଜାର ୩୩ ଜଣଙ୍କର ମୃତ୍ୟୁ ଘଟିବା ସହ ମୋଟ ମୃତ୍ୟୁସଂଖ୍ୟା ୧ ଲକ୍ଷ ୧୪ ହଜାର ୩୧ରେ ପହଞ୍ଚିଛି। ଭାରତୀୟ ଭେଷଜ ପରିଷଦ ଦେଇଥିବା ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୯ ଲକ୍ଷ ୭୦ ହଜାର ନମୁନା ପରୀକ୍ଷଣ ହୋଇଛି ଏବଂ ଏଥିସହ ଏପର୍ଯ୍ୟନ୍ତ ମୋଟ୍‍ ନମୁନା ପରୀକ୍ଷଣ ୯ କୋଟି ୪୨ ଲକ୍ଷରେ ପହଞ୍ଚିଛି।

covid recovery rate high in India