ଭୀମ ଭୋଇ ମେଡିକାଲ୍ କଲେଜର ଆଇସିୟୁ ସିଲ୍‌

ବଲାଙ୍ଗିର: କରୋନା ସଂକ୍ରମିତ ୩ ଜଣ ରୋଗୀ ଚିହ୍ନଟ ହେବା ପରେ ଗୁରୁବାର ଦିନ ଭୀମ ଭୋଇ ମେଡିକାଲ୍ କଲେଜର ଆଇସିୟୁ ଯୁନିଟକୁ ସିଲ୍ କରି ଦିଆଯାଇଛି ।

ମେଡିକାଲ୍ କଲେଜର ସୁପରିଟେଣ୍ଡେଣ୍ଟ ମହେନ୍ଦ୍ର ନାୟକ କହିଛନ୍ତି ଯେ ଆଇସିୟୁର ରୋଗୀ ମାନଙ୍କୁ ଅନ୍ୟ ହସ୍ପିଟାଲକୁ ପଠାଯିବା ଲାଗି ବ୍ୟବସ୍ଥା କରାଯାଉଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ କରୋନା ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲକୁ ପଠାଯାଇଛି । ଏହାବ୍ୟତିତ ଆଇସିୟୁରେ ଥିବା ରୋଗୀ ଏବଂ ଡାକ୍ତର ତଥା ସ୍ୱାସ୍ଥ୍ୟ କର୍ମୀ ମାନଙ୍କର ସ୍ୱାବ ନମୁନା ଟେଷ୍ଟ ପାଇଁ ପଠାଯିବ ।

ତେବେ ଗୋଟେ ସପ୍ତାହ ପରେ ତଥା ସମ୍ପୂର୍ଣ୍ଣ ସାନିଟାଇଜେସନ ପ୍ରକ୍ରିୟା ସରିବା ପରେ ଯାଇ ଆଇସିୟୁକୁ ପୁଣିଥରେ ଖୋଲାଯିବ ବୋଲି ସେ ପ୍ରକାଶ କରିଛନ୍ତି ।