ଝାରସୁଗୁଡ଼ା ଜିଲ୍ଲାରେ ୩ ସପ୍ତାହ ପାଇଁ ବନ୍ଦ ରହିବ ସାପ୍ତାହିକ ହାଟ,ଅନ୍ୟତ୍ର ସ୍ଥାନାନ୍ତର ହେବ ଦୈନିକ ବଜାର

ବଢ଼ୁଥିବା କୋଭିଡ୍ ସଂକ୍ରମଣକୁ ଦେଖି ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର ବଡ଼ ନିଷ୍ପତ୍ତି

ଝାରସୁଗୁଡ଼ା : ବଢ଼ୁଥିବା କୋଭିଡ୍ ସଂକ୍ରମଣକୁ ଦେଖି ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର ବଡ଼ ନିଷ୍ପତ୍ତି ନେଇଛି । ଜିଲ୍ଲାରେ ବନ୍ଦ ରହିବ ସାପ୍ତାହିକ ହାଟ । ଆସନ୍ତା ୩ ସପ୍ତାହ ଲାଗି ଜିଲ୍ଲାର ସମସ୍ତ ସାପ୍ତାହିକ ହାଟ ବନ୍ଦ ରହିବ । ଏନେଇ ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ ସାମଲ ସୂଚନା ଦେଇଛନ୍ତି । ଜିଲ୍ଲାରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ପୁଣିଥରେ ବୃଦ୍ଧି ପାଉଥିବାରୁ ଏଭଳି ନିଷ୍ପତ୍ତିି ନିଆଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ । ଏଥିସହ ଦୈନିକ ବଜାରକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ । ଲୋକଙ୍କ ଗହଳି ରୋକିବାକୁ ପନିପରିବା ଓ ଆମିଷ ବଜାରକୁ ଭାଗ ଭାଗ କରି ଅନ୍ୟତ୍ର ଖୋଲା ସ୍ଥାନରେ ବସାଇବା ଲାଗି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । କୋଭିଡ୍ ବିରୋଧୀ ଯୁଦ୍ଧ ଜିତିବା ଲାଗି ଏଥିରେ ସହଯୋଗ କରିବା ଲାଗି ଜିଲ୍ଲାପାଳ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ଶୁକ୍ରବାରରେ ଜିଲ୍ଲାରେ ୧୩ଟି ନୂଆ ସଂକ୍ରମଣ ଚିହ୍ନଟ ହୋଇଛି । ଏହାକୁ ମିଶାଇ ଏଯାବତ୍ ଜିଲ୍ଲାରେ ୮ ହଜାର ୨୬ଟି ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ୭ ହଜାର ୯୩୯ ଜଣ ସୁସ୍ଥ ହୋଇ ସାରିଛନ୍ତି । ଏବେ ଜିଲ୍ଲାରେ ୬୧ ଜଣ ସକ୍ରିୟ କରୋନା ସଂକ୍ରମିତ ଥିବାବେଳେ ୨୬ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ପୋଡଶୀ ଛତିଶଗଡରେ ସଂକ୍ରମଣ ବଢୁଥିବାରୁ ସୀମାନ୍ତ ଜିଲ୍ଲା ଝାରସୁଗୁଡାରେ ଚିନ୍ତା ବଡୁଛି ।