ଜାରି ହେଲା ଏପ୍ରିଲ୍ ମାସ କରୋନା ଗାଇଡ୍‌ଲାଇନ୍

ଭୁବନେଶ୍ୱର : ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାର ଏପ୍ରିଲ୍‌ ମାସ ପାଇଁ ଗାଇଡ୍‌ ଲାଇନ୍‌ ଜାରି କରିଛନ୍ତି । ଏପ୍ରିଲ୍‌ ୧ରୁ ୩୦ ପର୍ଯ୍ୟନ୍ତ ବଳବତ୍ତର ରହିବ ଗାଇଡ୍‌ଲାଇନ୍‌ । ଏନେଇ ସ୍ୱତନ୍ତ୍ର ରିଲିଫ୍‌ କମିଶନର୍‌ ସୂଚନା ଦେଇଛନ୍ତି ।

ସତର୍କତାର ସହ ମାଇକ୍ରୋ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍‌ଆର୍‌ସି । ଜିଲ୍ଲାପାଳ ଏବଂ ମ୍ୟୁନିସ୍‌ପାଲ୍‌ କମିଶନର୍‌ଙ୍କ ହାତରେ କ୍ଷମତା ରହିବ ସହିତ କଣ୍ଟେନ୍‌ମେଣ୍ଟ ଜୋନ୍‌ ପାଇଁ ସେମାନେ ନିଷ୍ପତ୍ତି ନେଇପାରିବେ । କଣ୍ଟେନ୍‌ମେଣ୍ଟ ଜୋନ୍‌ରୁ କେହି ବାହାରକୁ ଆସିପାରିବେ ନାହିଁ ବା ବାହାରକୁ ବାହିରିବା ପାଇଁ ଅନୁମତି ଆବଶ୍ୟକ ହେବ । ଘରକୁ ଘର ସର୍ଭେ ହେବ । ଟେଷ୍ଟିଂ, ଟ୍ରାକିଂ ଏବଂ ଟ୍ରିଟ୍‌ମେଣ୍ଟ୍‌ ଉପରେ ଗରୁତ୍ୱ ଦେବାକୁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଥିବା ବେଳେ ଯଥା ସମ୍ଭବ ଅଧିକ ଆର୍‌ଟିପିସିଆର୍‌ ଟେଷ୍ଟ କରିବାକୁ ନିର୍ଦ୍ଦେଶ ହୋଇଛି ।

ଏଥିସହିତ ଅଧିକ ଲୋକ ଗୋଟିଏ ସ୍ଥାନରେ ଏକାଠି ହୋଇପାରିବେ ନାହିଁ । ସାମାଜିକ, ଧାର୍ମିକ, ରାଜନୈତିକ, ଖେଳ, ମନୋରଞ୍ଜନ, ଶିକ୍ଷା ଏବଂ ସାସ୍କୃତିକ କାର୍ଯ୍ୟକ୍ରମ ପାଇଁ ପୂର୍ବ ପରି ୨୦୦ ଲୋକଙ୍କୁ ଅନୁମତି ମିଳିବ । ଆବଦ୍ଧ ସ୍ଥାନ ବା ହଲ୍‌ରେ ୫୦ ପ୍ରତିଶତ ଲୋକ ବସିପାରିବେ । ଖୋଲା ସ୍ଥାନରେ ଉପରୋକ୍ତ ନିୟମ ଲାଗୁ ହେବା ସହିତ ସମସ୍ତେ ମାସ୍କର ବ୍ୟବହାର କରିବେ । ହଲ୍‌ ଗୁଡିକରେ ବା କୌଣସି ସ୍ଥାନରେ ଏକାଠି ହେବା ପୂର୍ବରୁ ଥର୍ମାଲ୍‌ ସ୍କ୍ରିନିଂ, ହ୍ୟାଣ୍ଡ ୱାସ୍‌ ବା ସାନିଟାଇଜର୍‌ର ବ୍ୟବହାର, ମାସ୍କ ସହିତ ସାମାଜିକ ଦୂରତା କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଏଥିରେ ନିର୍ଦ୍ଦେଶ ଦିଆଯାଇଛି ।

କୌଣସି ମେଳା ମହୋତ୍ସବ ବା ସଭା ସମିତି କରିବାକୁ ହେଲେ ପ୍ରଥମେ ଜିଲ୍ଲାପାଳ କିମ୍ୱା ମ୍ୟୁନିସ୍‌ପାଲ୍‌ କମିଶନର୍‌ କିମ୍ୱା କ୍ଷମତା ଦିଆଯାଇଥିବା ଅଥୋରିଟିଙ୍କ ଠାରୁ ଅନୁମତି ଆଣିବାକୁ ହେବ । ବାହାଘର ପାଇଁ ୨୦୦ ଏବଂ ସୁଧଘର ପାଇଁ ୫୦ ଲୋକଙ୍କୁ ଅନୁମତି ରହିବା ସହିତ ଉପରୋକ୍ତ ନିୟମ କାର୍ଯ୍ୟକାରୀ ହେବ ।