କରୋନା ସଂକ୍ରମଣ : ଗୁଡ ଫ୍ରାଇଡେ, ଇଷ୍ଟର, ପଣା ସଂକ୍ରାନ୍ତି, ଦଣ୍ଡ ଯାତ୍ରା, ଝାମୁ ଯାତ୍ରା ଓ ‘ଶ୍ରୀରାମ ନବମୀ ପାଳନ ଉପରେ କଟକଣା

ଭୁବନେଶ୍ୱର  : ଦ୍ୱିତୀୟ ଲହରି କରୋନା ସଂକ୍ରମଣକୁ ଆଖି ଆଗରେ ରଖି ରାଜ୍ୟ ସରକାର ଆଗାମୀ ପର୍ବପର୍ବାଣିରେ କେତେକ କଟକଣା ଲଗାଇଛନ୍ତି । ସର୍ବସାଧାରଣ ସ୍ଥାନରେ ଗୁଡ ଫ୍ରାଇଡେ, ଇଷ୍ଟର, ପଣା ସଂକ୍ରାନ୍ତି, ଦଣ୍ଡ ଯାତ୍ରା, ଝାମୁ ଯାତ୍ରା ଓ ‘ଶ୍ରୀରାମ ନବମୀ ଆଦି ପାଳନ ଉପରେ କଟକଣା ଲଗାଯାଇଛି । ଏହି ପର୍ବ ସମୟରେ ମନ୍ଦିର ଓ ଗୀର୍ଜାରେ ଗହଳି ନ କରିବାକୁ ସ୍ୱତନ୍ତ୍ର ରିଲିଫ୍ କମିସନର ପରାମର୍ଶ ଦେଇଛନ୍ତି । ସ୍ଥାନୀୟ ପରିସ୍ଥିତିକୁ ଦେଖି କେତେ ଶ୍ରଦ୍ଧାଳୁ ମନ୍ଦିର ବା ଗୀର୍ଜା ଯାଇପାରିବେ ତାହା ଜିଲ୍ଲାପାଳ ଏବଂ ପୌର କମିସନର ନିର୍ଦ୍ଧାରଣ କରିବା ସହ ଆବଶ୍ୟକ କଟକଣା ଲଗାଇପାରିବେ ବୋଲି ସ୍ୱତନ୍ତ୍ର ରିଲିଫ୍ କମିସନର ସୂଚନା ଦେଇଛନ୍ତି । ତେବେ ମନ୍ଦର ଓ ଗୀର୍ଜାରେ ନୀତି ଅନୁଯାୟୀ ଦେବନୀତି ଅନୁଷ୍ଠିତ ହେବାରେ କୌଣସି ପ୍ରତିବନ୍ଧକ ନାହିଁ । କେନ୍ଦ୍ର ସରକାରଙ୍କ କୋଭିଡ ମାର୍ଗଦର୍ଶିକା ଅନୁଯାୟୀ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି । ସେପଟେ ଟ୍ୱିନ୍ ସିଟିରେ କଟକଣା ଜାରି କରିଛି କମିଶନରେଟ୍ ପୋଲିସ । ଟ୍ୱିନ ସିଟିରେ ଲାଗିଛି ହୋଲି କଟକଣା । କଟକ ଓ ଭୁବନେଶ୍ୱରରେ ସାମୂହିକ ହୋଲି ଖେଳ ଉପରେ କଟକଣା ଲଗାଯାଇଛି । ଏଥର ହୋଲି ଅବସରରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିବ ନାହିଁ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି ।