ଆଜିଠାରୁ ଭିମସାରରେ ହେବ ପୁଲ ଟେଷ୍ଟ

ସମ୍ବଲପୁର: ଆଜିଠାରୁ ବୁର୍ଲାର ଭିମାସାରେ ହେବ ପୁଲ ଟେଷ୍ଟ । ରାଉରକେଲା ଏନ୍‌ଆଇଟିରୁ ଆର୍‌ଟିପିସିଆର୍‌ ମେସିନ୍‌ ଆସି ପହଂଚିବା ପରେ ପରୀକ୍ଷା ପାଇଁ ଭିମ୍‌ସାର କର୍ତୃପକ୍ଷଙ୍କୁ ସବୁଜ ସଙ୍କେତ ମିଳିଛି। ପୁଲ୍‌ ଟେଷ୍ଟ ପ୍ରକ୍ରିୟାରେ ଦିନକୁ ୨ଟି ପର୍ଯ୍ୟାୟ‌ରେ ୯୦ଟି ରକ୍ତ ନମୁନା ପରୀକ୍ଷଣ କରାଯିବ। ଗୋଟିଏ ପର୍ଯ୍ୟାୟରେ ୪୫ଟି ଲେଖାଏଁ ନମୁନା ପରୀକ୍ଷା ହେବ। ଭିମ୍‌ସାର ଉପରେ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାର ରୋଗୀ ନିର୍ଭରଶୀଳ ଥିବାରୁ ଏହି ଅଂଚଳରୁ ଆସୁଥିବା ସ୍ୱାବ୍‌ ଭିମ୍‌ସାରରେ ହିଁ ପରୀକ୍ଷା କରାଯିବ। ଏହି ପରୀକ୍ଷା ପାଇଁ ଭିମ୍‌ସାର କର୍ତୃପକ୍ଷ ସମସ୍ତ ନିଯୁକ୍ତି ଓ ପ୍ରସ୍ତୁତି ଶେଷ କରିଥିବା ଜଣାପଡ଼ିଛି।

ଆର୍‌ଟିପିସିଆର୍‌ କୋଭିଡ୍‌ ରକ୍ତ ପରୀକ୍ଷାର ତଦାରଖ କରିବା ପାଇଁ ସରକାରଙ୍କ ପକ୍ଷରୁ କଟକ ଏସ୍‌ସିବିରୁ ପ୍ରଫେସର ଦେବୀପ୍ରସାଦ ମିଶ୍ରଙ୍କୁ ଭିମ୍‌ସାରକୁ ପଠାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ଆଂଟିଜେନ୍‌ ପରୀକ୍ଷା କରାଯିବ ଓ ଖୁବ୍‌ଶୀଘ୍ର କିଭଳି ଆଂଟିବଡ଼ି ଏବଂ ରିପେଡ୍‌ ଟେଷ୍ଟ ହେବ ସେନେଇ ସରକାର ବ୍ୟବସ୍ଥା କରୁଥିବା ଜଣାପଡ଼ିଛି।