କୋଭିଡ ନିୟମ ଉଲଙ୍ଘନ: ୧.୨୫ କୋଟିରୁ ଅଧିକ ଜରିମାନା ଆଦାୟ

ଭୁବନେଶ୍ୱର:  ଲକଡାଉନ୍  ନିୟମ ଉଲଙ୍ଘନ କରିଥିବା ବ୍ୟକ୍ତିଙ୍କ ଠାରୁ ରାଜ୍ୟ ପୁଲିସ  ପକ୍ଷରୁ ଜରିମାନା ଆଦାୟ କରାଯାଇଛି। ଏଯାବତ୍  ମାସ୍କ ବ୍ୟବହାର ଉଲଙ୍ଘନରେ ୧,୨୫,୮୪,୧୮୦ ଟଙ୍କା, ସାମାଜିକ ଦୂରତ୍ୱ ଉଲଙ୍ଘନରେ ୧୧,୭୪,୩୫୦ ଟଙ୍କା, ସାପ୍ତାହିକ ଲକ୍‌ଡାଉନ ଉଲଙ୍ଘନରେ ୩୦୦୦ ଟଙ୍କା ଏବଂ ରାତ୍ରୀକାଳୀନ କର୍ଫ୍ୟୁ ଉଲଙ୍ଘନ ପାଇଁ ୧,୦୩,୮୦୦ ଟଙ୍କା ଆଦାୟ କରାଯାଇଛି ବୋଲି ସୂଚନା ଦେଇଛନ୍ତି ପୁଲିସ ଡିଜି ଅଭୟ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଜିଲ୍ଲାର ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବା ସମୟରେ ଏହି ସୂଚନା ଦେଇଛନ୍ତି।

ପୁଲିସ ମହାନିର୍ଦ୍ଦେଶକ ଅଭୟ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ମହିଳା ମାନଙ୍କ ଉପରେ ଘରୋଇ ହିଂସାକୁ ରୋକିବା ପାଇଁ ଦୃଢ ପଦକ୍ଷେପ ନିଆଯାଇଛି। ୯୨୦୫ ଜଣ ମହିଳାଙ୍କ ସହିତ ଫୋନ ଜରିଆରେ ଯୋଗାଯୋଗ କରାଯାଇଛି । ଏଥିରେ ୫୩ଟି କେସ୍‌ରେ ଘରୋଇ ହିଂସାର ସୂଚନା ମିଳିଥିଲା ଏବଂ ଏଥିପାଇଁ ପୁଲିସ ପକ୍ଷରୁ ଉପଯୁକ୍ତ ପଦକ୍ଷେପ ନିଆଯାଇଛି।୮୦୦୨ଟି ସାମୟିକ ମେଡିକାଲ କେନ୍ଦ୍ର (ଧଈ) ର ସୁରକ୍ଷା ଦାୟିତ୍ୱ ନିଆଯାଇଛି। ପୁଲିସ ପକ୍ଷକୁ ବିଭିନ୍ନ କ୍ଷେତ୍ରରେ ସଚେତନତା କାର୍ଯ୍ୟକ୍ରମ, ବିଶେଷ କରି ମାସ୍କ ବ୍ୟବହାର ଓ ସାମାଜିକ ଦୂରତ୍ୱ ପାଳନ ପାଇଁ ଲୋକମାନଙ୍କୁ ସଚେତନ କରାଯାଉଛି ବୋଲି ସେ କହିଥିଲେ ।

ସେହିପରି ମାନବିକତା ସଂପନ୍ନ କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ପୁଲିସ ଅଗ୍ରଣୀ ଭୂମିକା ନେଇଛି ବୋଲି ସେ କହିଥିଲେ। ରାଜ୍ୟରେ କୌଣସି ପ୍ରବାସୀ ଚାଲିକରି ନ ଯାଆନ୍ତି, ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ୫୨୪ଟି ଟ୍ରିପ୍‌ ଜରିଆରେ ସମୁଦାୟ ୨୪,୫୮୭ ଆନ୍ତରାଜ୍ୟ ପଥଚାରୀ ପ୍ରବାସୀଙ୍କୁ ସେମାନଙ୍କ ରାଜ୍ୟକୁ ପଠାଯାଇଛି।

ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ସତ୍ୟଜିତ ମହାନ୍ତି କହିଥିଲେ ଯେ କୋଲକତାକୁ ଅପ୍ରେଲ ୨୫ରେ ୩୭୨ ଜଣ ଜବାନ ଯାଇ ୧୨ ଦିନ ପର୍ଯ୍ୟନ୍ତ ନିୟୋଜିତ ହୋଇଥିଲେ। ସେମାନଙ୍କ କାର୍ଯ୍ୟକୁ କୋଲକତାବାସୀ ଭୂୟସୀ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ ସେମାନେ ଯେତେବେଳେ କୋଲକତା ଓ ହାଓଡାର ରାସ୍ତାରେ ଯାଉଥିଲେ, ସେତେବେଳେ ଦୁଇ ପାର୍ଶ୍ବର ଜନତା ଛିଡା ହୋଇ ଓଡିଶା ମୁଖ୍ୟମନ୍ତ୍ରୀଙ୍କର ଉଚ୍ଚପ୍ରଶଂସା କରୁଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କୋଲକତାରୁ ଫେରିଥିବା ଅଗ୍ନିଶମ କର୍ମଚାରୀଙ୍କ ସ୍ବାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିଥିଲେ।