ମୋବାଇଲ ଫୋନ୍ ଟ୍ରାକିଂରୁ ଚିହ୍ନଟ ହେଉଛନ୍ତି ପଶ୍ଚିମବଙ୍ଗ ଫେରନ୍ତା

ଭୁବନେଶ୍ୱର: ପଶ୍ଚିମବଙ୍ଗରୁ ଫେରିଥିବା ଲୋକଙ୍କୁ ଚିହ୍ନଟ କରିବା ଲାଗି ରାଜ୍ୟ ସରକାର ବର୍ତମାନ ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି। ପଂଚାୟତ ସ୍ତରରେ ଏଭଳି ଲୋକଙ୍କୁ ଚିହ୍ନଟ କରିବା ପାଇଁ ସରପଂଚଙ୍କୁ ଦାୟିତ୍ୱ ନ୍ୟସ୍ତ କରିବା ବ୍ୟତୀତ ରାଜ୍ୟ ସରକାର ବର୍ତମାନ ମୋବାଇଲ୍ ଫୋନ୍ ଲୋକେସନ ଟ୍ରାକିଂ ମାଧ୍ୟମରେ ପଶ୍ଚିମବଙ୍ଗରୁ ଆସିଥିବା ଲୋକଙ୍କୁ ଚିହ୍ନଟ କରୁଛନ୍ତି। ମାର୍ଚ୍ଚ ୨୫ପରେ ପଶ୍ଚିମବଙ୍ଗରୁ ଫେରିଥିବା ୨୯୦୦ରୁ ଅଧିକ ଲୋକଙ୍କୁ ସେମାନଙ୍କର ଫୋନ୍ ଲୋକେସନ ମାଧ୍ୟମରେ ଟ୍ରାକ କରାଯାଇଛି । ୨୯୦୦ଲୋକଙ୍କ ମଧ୍ୟରେ ରାଜ୍ୟର ୩୦ଟି ଜିଲ୍ଲା ମଧ୍ୟରୁ ୨୯ଟି ଜିଲ୍ଲାର ଲୋକ ରହିଥିବା ଜଣାପଡ଼ିଛି ।

ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନ୍ଏଚ୍ଏମ୍) ନିର୍ଦ୍ଦେଶିକା ଶାଲିନୀ ପଣ୍ଡିତ ସବୁ ଜିଲ୍ଲାର ପ୍ରଶାସନକୁ ପଶ୍ଚିମବଙ୍ଗରୁ ଫେରିଥିବା ଲୋକଙ୍କୁ ଟ୍ରାକ୍ କରିବା ଏବଂ ସେମାନଙ୍କୁ ଘରୋଇ ସଙ୍ଗରୋଧରେ ରଖିବାକୁ କହିଥିଲେ। ପରୀକ୍ଷା ପାଇଁ ସେମାନଙ୍କ ନମୁନା ପଠାଇବାକୁ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କୁ ମଧ୍ୟ କୁହାଯାଇଛି।

ଟ୍ରାକିଂ ତାଲିକା ଅନୁଯାୟୀ, ବାଲେଶ୍ୱର ଜିଲ୍ଲାକୁ ସର୍ବାଧିକ ୭୭୨ଲୋକ ପଶ୍ଚିମବଙ୍ଗରୁ ଫେରିଥିବା ବେଳେ ଯାଜପୁରକୁ ୩୨୯ ଏବଂ ଭଦ୍ରକକୁ ୨୪୨ଜଣ ଲୋକ ଫେରିଛନ୍ତି। କେବଳ ବୌଦ୍ଧ ଜିଲ୍ଲାକୁ ଜଣେ ପଶ୍ଚିମବଙ୍ଗରୁ ଫେରିଥିବା ଜଣାପଡିଛି । ତେବେ ପଶ୍ଚିମବଙ୍ଗର ଯାତ୍ରା ଇତିହାସ ଥିବା ମୋଟ ୩୩ଜଣ ବ୍ୟକ୍ତି ଏ ପର୍ଯ୍ୟନ୍ତ ରାଜ୍ୟରେ କୋଭିଡ-୧୯ ଦ୍ୱାରା ଶିକାର ହୋଇଛନ୍ତି, ଯେଉଁମାନେ ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାର ବାସିନ୍ଦା ଅଟନ୍ତି ।