୪ ଦିନ ବ୍ରହ୍ମପୁର ସଟ୍ ଡ଼ାଉନ୍

ବ୍ରହ୍ମପୁର: ଗଂଜାମ ଜିଲାରେ ଆଉ ୫୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୩ ଜଣ କରୋନା ଯୋଦ୍ଧା ଅଛନ୍ତି । ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୩୮ କୁ ବୃଦ୍ଧି ପାଇଛି । ୮ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ୭୬୮ ଜଣ ଚିକିତ୍ସା ପରେ ସୁସ୍ଥ ହୋଇସାରିଛନ୍ତି । ଆଉ ୩୬୨ ଜଣ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧିନ ଅଛନ୍ତି ।

ଏହି ପରିସ୍ଥିତିରେ ବ୍ରହ୍ମପୁର ସହରକୁ ଜିଲାପାଳ ବିଜୟ ଅମୃତ କୁଲାେଙ୍ଗ ୨୭, ୨୮, ୨୯ ଓ ୩୦ ତାରିଖ ୪ ଦିନ ପାଇଁ ସଟ ଡ଼ାଉନ ଘୋଷଣା କରିଛନ୍ତି । ପ୍ରକୃତ ଭାବେ ଦେଖିବାକୁ ଗଲେ ଆଜି ଶୁକ୍ରବାର ଦିନ ୨ ଟା ପରଠାରୁ ଏହି ସଟ ଡ଼ାଉନ ଲାଗୁ ହେବ । ଏହି ସମୟରେ କେବଳ ସ୍ୱାସ୍ଥ୍ୟସେବା, ଦୁଗ୍ଧ ବଣ୍ଟନ ପରି ଅତ୍ୟାବଶ୍ୟକ ସେବା ଚାଲୁ ରହିବ କିନ୍ତୁ ସମସ୍ତ ଦୋକାନ, ବଜାର, ଅଫିସ୍ , ପରିବା ଦୋକାନ, ଗ୍ରୋସରି ଦୋକାନ ଆଦି ବନ୍ଦ ରହିବ।ଅପରପକ୍ଷେ ଏହି ସଟ ଡ଼ାଉନ ସମୟରେ ବ୍ରହ୍ମପୁର ସହରରେ ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ , କଣ୍ଟାକ୍ଟ ଟ୍ରେସିଂ, ଆଇସୋଲେସନ୍, ହୋମ୍ କ୍ୱାରେଣ୍ଟିନ୍ ବ୍ୟବସ୍ଥାର ଯାଞ୍ଚ ହେବ । ଏଥିପାଇଁ ୭୦ଟି ହେଲ୍ଥ ଟିମ୍ ଗଠନ କରାଯାଇଥିବା ଜିଲାପାଳ କହିଛନ୍ତି ।