କୋଭାକ୍ସିନର ୨ୟ ପର୍ଯ୍ୟାୟ ପରୀକ୍ଷଣ ସେପ୍ଟେମ୍ବରରୁ ଆରମ୍ଭ

ଗୁଆହାଟୀ : ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନର ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣରେ ଉତ୍ସାହଜନକ ଫଳାଫଳ ମିଳିଛି । ଫଳରେ ଏହି ଟିକାକୁ ନେଇ ଆଶାର ସଂଚାର ହୋଇଛି । ଏବେ ଆସନ୍ତା ସେପ୍ଟେମ୍ବରରୁ ଏହି ଟିକାର ୨ୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହେବ । ୨ୟ ପର୍ଯ୍ୟାୟ ପରୀକ୍ଷଣରେ ଏହି ଟିକାକୁ ପୁଣି ଥରେ ସ୍ୱେଚ୍ଛାସେବୀଙ୍କୁ ଦିଆଯିବ ଓ ଏହା କେତେକ ସୁରକ୍ଷିତ ତାହା ଯାଞ୍ଚ କରାଯିବ ।
ତେବେ କେଉଁ କେଉଁ ସ୍ଥାନରେ ଏହି ୨ୟ ପର୍ଯ୍ୟାୟ ପରୀକ୍ଷଣ କରାଯିବ, ସେ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ଘୋଷଣା କରାଯାଇନଥିବାବେଳେ ଗୁଆହାଟୀ ମେଡିକାଲ କଲେଜ ଓ ହସପିଟାଲ ଏହି ସମ୍ଭାବ୍ୟ ସ୍ଥାନ ମଧ୍ୟରେ ରହିଛି ବୋଲି ଜଣାପଡ଼ିଛି । ଏ ସଂପର୍କରେ ଆସାମର ସ୍ୱାସ୍ଥ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏହି ପରୀକ୍ଷଣ ପାଇଁ ଭାରତ ବାୟୋଟେକ ପକ୍ଷରୁ ଗୁଆହାଟୀ ମେଡିକାଲ କଲେଜ ସହ ଯୋଗାଯୋଗ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଭାରତରେ ୩ଟି କରୋନା ଟିକାର ପରୀକ୍ଷଣ ଚାଲିଛି । ଭାରତ ବାୟୋଟେକ ପକ୍ଷରୁ ଆଇସିଏମଆର ସହଯୋଗରେ କୋଭାକ୍ସିନ ଟିକା ପ୍ରସ୍ତୁତ କରୁଛି । ଭାରତରେ ଆଉ ଏକ ଫାର୍ମା କମ୍ପାନି ଜାଇଡସ କାଡିଲା ମଧ୍ୟ ଏକ କରୋନା ଟିକାର ପରୀକ୍ଷଣ କରୁଛି । ଏହି ଟିକାର ନାଁ ହେଉଛି ଜାଇକୋଭ-ଡି । ଅନ୍ୟପକ୍ଷରେ ଅକ୍ସଫୋର୍ଡ ଦ୍ୱାରା ବିକଶିତ ଟିକାର ପରୀକ୍ଷଣ ସେରମ ଇନଷ୍ଟିଚ୍ୟୁଟ ଦ୍ୱାରା କରାଯାଉଛି ।