ଆଞ୍ଚଳିକ ଭାଷାରେ ଉପଲବ୍ଧ ହେଉ ବିଚାରପତିଙ୍କ ରାୟ : ରାଷ୍ଟ୍ରପତି

ଚେନ୍ନାଇ: କେବଳ ନ୍ୟାୟ ସୁନିଶ୍ଚିତ କରିବା ଯଥେଷ୍ଟ ନୁହେଁ, କୌଣସି ମାମଲାରେ ଜଡ଼ିତ ଥିବା ବିଭିନ୍ନ ପକ୍ଷ ମଧ୍ୟ ବିଚାରପତିଙ୍କ ରାୟକୁ ସେମାନଙ୍କ ନିଜ ଭାଷାରେ ବୁଝିବା ଆବଶ୍ୟକତା ରହିଛି ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି। ତାମିଲନାଡ଼ୁର ଡକ୍ଟର ଆମ୍ବେଦକର ଆଇନ ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି, ଆଇନ ସାକ୍ଷରତା ଏବଂ ଆଇନଗତ ନିୟମ ଆଦିର ସରଳୀକରଣ କରାଯିବାର ଆବଶ୍ୟକତା ରହିଛି ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ।

୨୦୧୭ ମସିହାରେ ମଧ୍ୟ ସେ ଏହି ବିଷୟରେ ଉଲ୍ଲେଖ କରିଥିବା ଦର୍ଶାଇ ରାଷ୍ଟ୍ରପତି କହିଛନ୍ତି, ହାଇକୋର୍ଟ ରାୟର ନକଲକୁ ଅନୁବାଦ କରି ସ୍ଥାନୀୟ ବା ଆଞ୍ଚଳିକ ଭାଷାରେ ଉପଲବ୍ଧ କରାଇବାର ବ୍ୟବସ୍ଥା କରିବା ଉଚିତ ହେବ। ସେ କହିଛନ୍ତି, ବର୍ତ୍ତମାନ କ୍ୟାଲକାଟା ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ୱରେ ଥିବା ତତ୍କାଳୀନ ଛତିଶଗଡ଼ ହାଇକୋର୍ଟର ମୁଖ୍ୟ ବିଚାରପତି ଟିବି ରାଧାକ୍ରିଷ୍ଣନ୍‌ଙ୍କୁ ଭେଟି ସେ ଏହି ବିଷୟରେ ଆଲୋଚନା କରିଥିଲେ। ପରେ ସେ ଏହାକୁ ଛତିଶଗଡ଼ରେ ଲାଗୁ କରିଥିଲେ।

ସେ କହିଛନ୍ତି ଛତିଶଗଡ଼ରେ ହିନ୍ଦୀରେ କୋର୍ଟଙ୍କ ରାୟ ଉପଲବ୍ଧ ହେଉଛି। ଅନ୍ୟ ହାଇକୋର୍ଟମାନେ ମଧ୍ୟ ଏହା କରିବାକୁ ଆଗ୍ରହୀ ଥିବା ଜାଣି ସେ ଆନନ୍ଦିତ ବୋଲି କହିଛନ୍ତି। କେରଳରେ ମାଲାୟାଲମ୍‌ ଏବଂ ତାମିଲଡ଼ାଡ଼ୁରେ ତାମିଲ ଭାଷାରେ ରାୟ ଉପଲବ୍ଧ ହୋଇପାରିବ ବୋଲି ରାଷ୍ଟ୍ରପତି କହିଛନ୍ତି।