ଏୟାରସେଲ- ମାକ୍ସିସ ମାମଲା: ପି.ଚିଦାମ୍ବରମ ଓ କାର୍ତ୍ତି ଚିଦାମ୍ବରମଙ୍କୁ ଆଗୁଆ ଜାମିନ

ନୂଆଦିଲ୍ଲୀ:ଏୟାରସେଲ-ମାକ୍ସିସ ମାମଲାରେ ପି.ଚିଦାମ୍ୱରମ ଏବଂ ତାଙ୍କ ପୁଅ କାର୍ତ୍ତି ଚିଦାମ୍ୱରମଙ୍କୁ ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । କୋର୍ଟ ଇଡି ଏବଂ ସିବିଆଇ ମାମଲାରେ କାର୍ତ୍ତି ଏବଂ ପି.ଚିଦାମ୍ୱରମଙ୍କୁ ଅଗ୍ରୀମ ଜାମିନ ପ୍ରଦାନ କରିଛନ୍ତି । ଏକ-ଏକ ଲକ୍ଷ ଟଙ୍କାର ଦୁଇଟି ବ୍ୟକ୍ତିଗତ ମୁଚଲିକାରେ ଜାମିନ ପ୍ରଦାନ କରିଛନ୍ତି । କୋର୍ଟ କାର୍ତ୍ତି ଏବଂ ପି.ଚିଦାମ୍ୱରମଙ୍କୁ ଇଡି ଏବଂ ସିବିଆଇର ତଦନ୍ତରେ ସହଯୋଗ କରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଦୁହିଁଙ୍କ ଅଗ୍ରୀମ ଜାମିନକୁ ଇଡି ଏବଂ ସିବିଆଇ ପକ୍ଷରୁ ବିରୋଧ କରାଯାଉଥିଲା । ଦୁଇ ତଦନ୍ତକାରୀଙ୍କ ସଂସ୍ଥା କହିବା ଅନୁସାରେ ତଦନ୍ତକୁ ଅଧିକ ତ୍ୱାରାନ୍ୱିତ କରିବା ଏବଂ ଅଭିଯୁକ୍ତଙ୍କୁ ପଚରାଉଚୁରା କରିବା ପାଇଁ ହେପାଜତକୁ ନେବାର ଅବଶ୍ୟକତା ରହିଛି, ଏପରି ସ୍ଥଳେ ଗିରଫଦାରି ଉପରେ ଲାଗାଯାଇଥିବା ରୋକକୁ ହଟାଯିବା ଦରକାର । 

ଅଭିଯୁକ୍ତଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ନେବା ପାଇଁ ବର୍ତ୍ତମାନ ସୁଦ୍ଧା ସରକାରୀ ଅନୁମତି ନ ନେଇଥିବାରୁ ତଦନ୍ତକାରୀ ସଂସ୍ଥାକୁ କୋର୍ଟର ଆକ୍ରୋଶର ସାମ୍ନା କରିବାକୁ ପଡିଥିଲା । କୋର୍ଟ ସଂସ୍ଥାକୁ ତାଗିଦ କରି କହିଥିଲେ, ଯଦି ପରବର୍ତ୍ତି ଶୁଣାଣି ପର‌୍ୟ୍ୟନ୍ତ ଚାର୍ଜସିଟରେ ରୁଜୁ ହୋଇଥିବା ନାଁ ଗୁଡିକ ବିରୋଧରେ ସରକାରୀ କାର‌୍ୟ୍ୟାନୁଷ୍ଠାନ ପାଇଁ ଅନୁମତି ନମିଳେ ତେବେ କୋର୍ଟ ତଦନ୍ତକାରୀ ସଂସ୍ଥା ପକ୍ଷରୁ ଦାଖଲ କରାଯାଇଥିବା ଚାର୍ଜସିଟ ଉପରେ ନଜର ଦେବେ ନାହିଁ ।

ଏହା ପୂର୍ବରୁ ହୋଇଥିବା ଶୁଣାଣିରେ ପି.ଚିଦାମ୍ୱରମଙ୍କ ଉପରେ କାର‌୍ୟ୍ୟାନୁଷ୍ଠାନ ନେବା ପାଇଁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଥିଲେ । ପି.ଚିଦାମ୍ୱରମ ଏବଂ ଅନ୍ୟ ଅଭିଯୁକ୍ତ ବିରୋଧରେ ଇଡି ଏବଂ ସିବିଆଇ ପକ୍ଷରୁ ରୁଜୁ କରାଯାଇଥିବା ଚାର୍ଜସିଟ୍‌ ଉପରେ ଦିଲ୍ଲୀର ପଟିୟାଲା ହାଉସ କୋର୍ଟରେ ଶୁଣାଣି ହେବାର ଅଛି ।

ଏୟାରସେଲ-ମାକ୍ସିସ ମାମଲାରେ ସିବିଆଇ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ୱରମ ଏବଂ ତାଙ୍କ ପୁଅ କାର୍ତ୍ତି ଚିଦାମ୍ୱରମଙ୍କୁ ଅଭିଯୁକ୍ତ ଦର୍ଶାଇ ତାଙ୍କ ବିରୋଧରେ ପଟିୟାଲା ହାଉସ କୋର୍ଟରେ ମାମଲା ରୁଜୁ କରିଥିଲା । ଚାର୍ଜସିଟରେ ଉଲ୍ଲେଖ କରାଯାଇଥିଲା ଯେ, ଚିଦାମ୍ୱରମ ଅର୍ଥମନ୍ତ୍ରୀ ଥିବା ସମୟରେ ନିଜ ପଦର ଅପବ୍ୟବହାର କରିଥିଲେ । ତାଙ୍କ ବିରୋଧରେ ଭାରତୀୟ ଦଣ୍ଡ ବିଧାନ ଆଇପିସିର ଧାରା ୧୨୦ବି ଏବଂ ପିସି ଆକ୍ଟର ଧାରା ୭, ୧୨୧୩(୨) ଅନୁସାରେ ଚାର୍ଜସିଟ ଦାଖଲ କରାଯାଇଛି । ସୂଚନାଯୋଗ୍ୟ ଯେ ଏହି ମାମଲାରେ ସମୁଦାୟ ୧୮ ଜଣଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରାଯାଇଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ତ୍ତି ଚିଦାମ୍ୱରମଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ।