ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ଉପାନ୍ତବର୍ତ୍ତୀ ତିରିଂ ଥାନା ଅନ୍ତର୍ଗତ ଗୀତିଲତା ଗ୍ରାମରେ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ଶବ ଚିହ୍ନଟ ହେବା ପରେ ଆଲୋଡ଼ନ ସୃଷ୍ଟି ହୋଇଛି ।
ସୂଚନାଯୋଗ୍ୟ, ଆଜି ଉଭୟ ଯୁବକଯୁବତୀଙ୍କୁ ଗାଁ ପାଖ ଏକ ଅର୍ଜୁନ ଗଛରେ ବେକରେ ଫାଶୀ ଲଗାଇ ଝୁଲନ୍ତା ଅବସ୍ଥାରେ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ତେବେ ଫଶୀ ଲଗାଇଥିବା ଯୁବକ ଜଣକ ପୂର୍ବରୁ ବିବାହିତ ଥିଲେ। ବିବାହିତ ହୋଇ ମଧ୍ୟ ସେ ଉକ୍ତ ଗ୍ରାମର ଜନୈକା ଯୁବତୀଙ୍କୁ ଅନେକ ଦିନ ହେବ ଭଲ ପାଇ ଆସୁଥିଲେ। ଉଭୟଙ୍କ ମଧ୍ୟରେ ଥିବା ଅନୈତିକ ସମ୍ପର୍କକୁ ଦୁହେଁ ଚେଷ୍ଟା କରି ମଧ୍ୟ ସମାଜରେ ମାନ୍ୟତା ଦେଇ ପାରି ନ ଥିଲେ।
ପାରିପାର୍ଶ୍ୱିକ ପରିସ୍ଥିତିକୁ ଦେଖି ଅନୁମାନ କରାଯାଉଛି କି ଉକ୍ତ ଯୁବକ-ଯୁବତୀଙ୍କ ସମ୍ପର୍କକୁ ସାମାଜିକ ମାନ୍ୟତା ନ ମିଳିବାରୁ ଦୁହେଁ ନିରାଶ ହୋଇ ଫାଶୀ ଲଗାଇ ଜୀବନ ହାରି ଦେବାକୁ ଚରମ ନିଷ୍ପତ୍ତି ନେଇଛନ୍ତି। ଏହି ଆତ୍ମହତ୍ୟା ସମ୍ପର୍କରେ ଗ୍ରାମବାସୀ ଆଜି ସକାଳେ ତିରିଂ ଥାନା ପୁଲିସକୁ ଖବର ଦେଇଥିଲେ।
ଖବର ପାଇ ଘଟଣାସ୍ଥଳରେ ତିରିଂ ଥାନା ପୁଲିସ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଦେଇଛି। ଏହି ଆତ୍ମହତ୍ୟା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।