ଭଲପାଇ ବାହା ହୋଇଥିଲେ ,କଳି କରି ପିଟା ପିଟି ହୋଇ ମରିଗଲେ ପତି- ପତ୍ନୀ

ବଡବିଲ : ବଡବିଲ ଜଜାଙ୍ଗ ରୁଙ୍ଗଟା ମାଇନ୍ସ କଲୋନୀରେ ଅଭାବନୀୟ ଘଟଣା । ପାରିବାରିକ କଲହରୁ କରୁଣ ପରିଣତି । ସ୍ବାମୀ ଜଣେ ବରିଷ୍ଠ ଅଧିକାରୀ । ଭଲ ପାଇ ବାହାଘର ହୋଇଥିଲେ । ହେଲେ ଉଭୟଙ୍କ ମଧ୍ୟରେ ସଂପର୍କ ଭଲ ନଥିଲା ।  ଅନେକ ସମୟରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗୁଥିଲା। ଶେଷରେ ଘର ଭିତରୁ ଉଭୟଙ୍କର ମୃତଦେହ ଉଦ୍ଧାର ହେଲା। ଆଉ ଯେଭଳି ଅବସ୍ଥାରେ ତାହା ମିଳିଲା, ପରସ୍ପରର ଆକ୍ରମଣରେ ଉଭୟ ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି। ….

ଖଟ ଉପରେ ପତ୍ନୀଙ୍କ ମୃତଦେହ । ଆଉ ତଳେ ସ୍ବାମୀଙ୍କ ଡେଡ୍ ବଡ଼ି । ପତ୍ନୀଙ୍କ ବେକରେ ଗୁଡ଼େଇ ହୋଇଛି ଏକ ଲୁହା ଚେନ୍, ଆଉ ଏହି ଚେନ ଲାଗିଛି ତଳେ ପଡ଼ିଥିବା ସ୍ବାମୀଙ୍କ ହାତରେ । ପତ୍ନୀଙ୍କ ନାକରୁ ରକ୍ତସ୍ରାବ ହୋଇଥିବା ବେଳେ, ସ୍ବାମୀଙ୍କ ମୁଣ୍ଡରେ କ୍ଷତ ସୃଷ୍ଟି ହୋଇ ରକ୍ତସ୍ରାବ ହୋଇଛି। … ଏମିତି ଅବସ୍ଥାରେ ଘର ଭିତରୁ ଉଦ୍ଧାର ହୋଇଛି ସ୍ବାମୀସ୍ତ୍ରୀଙ୍କ ମୃତଦେହ।… ଏ ଚିତ୍ର ହେଉଛି କେନ୍ଦୁରଝର ଜିଲ୍ଲା ବଡ଼ବିଲ ଲୁଙ୍ଗଟା ମାଇନ୍ସ କଲୋନୀର।… ମୃତକ ହେଲେ ରୁଙ୍ଗଟା ମାଇନ୍ସର ଏଜିଏମ୍ ସୁଜିତ୍ ହେମ୍ବ୍ରମ୍ ଏବଂ ତାଙ୍କ ପତ୍ନୀ ବରୋନିକା ହେମ୍ବ୍ରମ୍। ଶନିବାର ରାତିରେ ଏହି ଅଘଟଣ ଘଟିଛି ।

ସୁଜିତ ଓ ବରୋନିକା ପରସ୍ପରକୁ ଭଲପାଇ ପ୍ରେମ ବିବାହ କରିଥିଲେ । ଏମାନଙ୍କର ୨୦ ବର୍ଷର ଏକ ଝିଅ ଓ ୧୬ ବର୍ଷର ପୁଅ ଅଛନ୍ତି । ପୁଅ ଚମ୍ପୁଆରେ ହଷ୍ଟେଲରେ ରହି ପଢୁଥିବା ବେଳେ, ଘରେ ଥିଲା ଝିଅ ।ସଂଧ୍ୟାରେ ବାପା, ମାଆଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହେବାରୁ ସେ ଅନ୍ୟ ରୁମକୁ ଯାଇ ଶୋଇ ପଡ଼ିଥିଲେ । ସକାଳେ ଡ୍ରାଇଭର ଡୋର ବେଲ୍ ବାରମ୍ବାର ବଜାଇବା ପରେ ଝିଅ କବାଟ ଖୋଲିଥିଲେ, ଆଉ ବାପାମାଆଙ୍କ ମୃତଦେହ ପଡ଼ିଥିବାର ଦେଖିଥିଲେ ।…

ବାମେବାରୀ ପୋଲିସ ମୃତ ଦେହ ଜବତ୍ କରି ବ୍ୟବଛେଦ କରିବା ସହ ଝିଅ ଏଲିଜାବେଥଙ୍କୁ ପଚରା ଉଚୁରା କରିଛି। ପାରିବାରିକ କଳହରୁ ଉଭୟଙ୍କ ଜୀବନ ଯାଇଛି, ନା ଏହା ପଛରେ ଆଉ କିଛି କାରଣ ରହିଛି ତାର ତଦନ୍ତ ଚଳାଇଛି ପୋଲିସ ।…