ଆଜି ହେଉଛି ଆଲୋକର ପର୍ବ ଦୀପାବଳି

ଭୁବନେଶ୍ୱର:ଆଜି ହେଉଛି ଆଲୋକର ପର୍ବ ଦୀପାବଳି । ଏହା କାର୍ତ୍ତିକ ମାସ ଅମାବାସ୍ୟା ଦିନ ପଡ଼ିଥାଏ । ସାରା ଦେଶ ରଙ୍ଗ ବେରଙ୍ଗ ଆଲୋକମାଳାରେ ଝଲସୁଛି । ରାତିରେ ଦୀପଜାଳି ପାଳନ କରିବେ ଦୀପାଳବି । ହିନ୍ଦୁ, ଶିଖ, ଜୈନ ଓ ବୌଦ୍ଧ ଧର୍ମର ଲୋକମାନେ ଏହି ପର୍ବକୁ ପାଳନ କରିଥାଆନ୍ତି । ଓଡ଼ିଶାରେ ନିଆରା ଢଙ୍ଗରେ ଦୀପାବଳୀ ପାଳନ କରାଯାଇଥାଏ । ସମସ୍ତେ କାଉଁରିଆ ଜାଳି ବଡ଼ବଡ଼ୁଆ ବା ପୂର୍ବପୁରୁଷଙ୍କୁ ସ୍ମରଣ କରି ଥାଆନ୍ତି । ଏହା ସହିତ ଘରେ ଘରେ ବିଭିନ୍ନ ପ୍ରକାର ପିଠା ପଣା ମଧ୍ୟ ତିଆରି ହୋଇଥାଏ । ଭକ୍ତମାନେ ବାଇଶି ପାହାଚରେ ପିଣ୍ଡ ଦାନ କରି ପୂର୍ବ ପୁରୁଷଙ୍କୁ ଡାକନ୍ତି । 

ପୌରାଣିକ କଥା ବସ୍ତୁ ଅନୁସାରେ ସତ୍ୟଯୁଗରେ ପ୍ରଭୁ ରାମଚନ୍ଦ୍ର ରାବଣକୁ ମାରି ସୀତାଙ୍କୁ ଉଦ୍ଧାର କରି ଅଯୋଧ୍ୟା ଫେରିଥିଲେ । ଅଯୋଧ୍ୟାର ସମସ୍ତ ନରନାରୀ ପୁରୁଷୋତ୍ତମଙ୍କ ଅସତ୍ୟ ଉପରେ ସତ୍ୟର ବିଜୟ ନିମନ୍ତେ ଆନନ୍ଦରେ ବିଭିନ୍ନ ପ୍ରକାର ଆଲୋକ ଜଳାଇ ରାମ, ସୀତା ଓ ଲକ୍ଷ୍ମଣଙ୍କୁ ସ୍ୱାଗତ କରିଥିଲେ । ସେହିଦିନରୁ ଏହି ଉତ୍ସବ ପାଳନ କରାଯାଉଛି । ଉତ୍ତର ଭାରତରେ ପୁରୁଷୋତ୍ତମ ରାମଚନ୍ଦ୍ରଙ୍କର ଭକ୍ତମାନେ ଏହିଦିନ ଟିକୁ ବହୁ ଯାକଜମକରେ ପାଳନ କରନ୍ତି ।

ଖ୍ରୀଷ୍ଟପୂର୍ବ ୫୨୭ରେ ମହାବୀରଙ୍କୁ ଏହିଦିନରେ ନିର୍ବାଣ ପ୍ରାପ୍ତି ହୋଇଥିଲା । ସେହିଦିନକୁ ସ୍ମରଣକରିବା ପାଇଁ ଜୈନମାନେ ଦୀପାବଳି ପାଳନ କରନ୍ତି । ଏହି ଅବସରରେ ଦୀପ ଜଳାଯାଏ ଏବଂ ମିଷ୍ଟାନ୍ନ ବଣ୍ଟାଯାଏ । ଜୈନ ବ୍ୟବସାୟୀମାନେ ହିସାବଖାତା ଏବଂ ମୁଦ୍ରା ପୂଜାକରନ୍ତି । ସେହିବର୍ଷ ପାଇଁ ହିସାବଖାତା ବନ୍ଦ କରାଯାଏ । ପରବର୍ତ୍ତୀ ଆଠଦିନ କୌଣସି ବ୍ୟବସାୟ କରନ୍ତି ନାହିଁ । ସେହିପରି ଏକଦଶଦର୍ଶି ମୋଗଲ ସମ୍ରାଟ ଔରଙ୍ଗଦେବଙ୍କଦ୍ୱାରା ଶିଖ‌ଧର୍ମର ଷଷ୍ଠଗୁରୁ ହରଗୋବିନ୍ଦ ସିଂହ ବନ୍ଦୀହୋଇ କାରାକୋଠରୀରେ ଆବଦ୍ଧ ହୋଇଥିଲେ । ଅଗଣିତ ଶିଖ ଧର୍ମାବଲମ୍ବୀଙ୍କ ଦୃଢବିରୋଧ ଯୋଗୁଁ ପରିଶେଷରେ ତାଙ୍କୁ କାରାମୁକ୍ତ କରାଗଲା । ତାଙ୍କୁ ସ୍ୱାଗତକରିବା ପାଇଁ ସେତେବେଳେ ସ୍ୱର୍ଣ୍ଣମନ୍ଦିରକୁ ଦୀପରେ ସଜାଯାଇଥିଲା । ସେ ଏହି ଦୀପାବଳିଦିନ କାରାମୁକ୍ତ ହୋଇ ଥିବାରୁ, ଏହିଦିନଟିକୁ ଅନ୍ଧାରରୁ ଆଲୋକସନ୍ଧାନ ପ୍ରାପ୍ତିର ଦିବସ ରୂପେ ଶିଖ ସମ୍ପ୍ରଦାୟ ପାଳିଆସୁଛନ୍ତି ।