୨୩ରେ ଖୋଲିବ ଇଭିଏମ, ଗଣତି ପାଇଁ ପ୍ରଶିକ୍ଷଣ ଆରମ୍ଭ

ବଢୁଛି ନେତାଙ୍କ ଛାତି ଧଡ ଧଡ , କିଏ ହାରିବ କିଏ ଜିତିବ  

ଭୁବନେଶ୍ବର : ମେ ୨୩ରେ ଭୋଟ ଗଣତି ପାଇଁ ଆଜିଠୁ ପ୍ରଶିକ୍ଷଣ ଆରମ୍ଭ ହୋଇଛି । କେମିତି ତ୍ରୁଟିଶୂନ୍ୟ ଗଣତି ହେବ ସେନେଇ ଅଧିକାରୀମାନଙ୍କୁ ଟ୍ରେନିଂ ଦିଆଯାଇଛି।  ଗୋଟିଏ ହଲରେ ବିଧାନସଭା  ପାଇଁ ୭ଟି ଓ ଲୋକସଭା ପାଇଁ ୭ଟି ଟେବୁଲ ରହିବ ।  ଗୋଟିଏ ନିର୍ବାଚନ ମଣ୍ଡଳୀରୁ ୫ଟି ବୁଥରୁ ଭିଭିପ୍ୟାଟ ସହ ଇଭିଏମର ଭୋଟ ମିଳାଯିବ ।

୨୩ରେ ଖୋଲିବ ଷ୍ଟ୍ରଙ୍ଗରୁମ। ଖୋଲିବ ଇଭିଏମ, ଖୋଲିବ ନେତାଙ୍କ ଭାଗ୍ୟ । ଗଣତି ହେବ ଭୋଟ । ରାଜ୍ୟରେ ପ୍ରଥମ କରି ଭିଭିପ୍ୟାଟ ବ୍ୟବହାର ହେଉଥିବାରୁ କେମିତି ଭୋଟ ଗଣିବେ ଅଧିକାରୀ । ସେଥିଲାଗି ଚାଲିଛି ପ୍ରଶିକ୍ଷଣ । ଆରମ୍ଭ ହୋଇଛି ଦୁଇଦିନିଆ ଟ୍ରେନିଂ । ପ୍ରଥମ ଦିନରେ ୧୪ ଜିଲ୍ଲାପାଳ ଓ ଏହାସହ ବିଧାନସଭା ଓ ଲୋକସଭା ପାଇଁ ୧୧୫ ରିଟର୍ଣ୍ଣିଂ ଅଫିସରଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ଆଜି ଯେଉଁ ରିଟର୍ଣ୍ଣିଂ ଅଫିସର ପ୍ରଶିକ୍ଷଣ ନେଉଛନ୍ତି, ସେମାନେ ୨୦ ସୁଦ୍ଧା କାଉଣ୍ଟିଂ ସୁପର ଭାଇଜର ଓ ଅନ୍ୟ ଅଧିକାରୀଙ୍କୁ ଟ୍ରେନିଂ ଦେବେ । ଏକ ସଙ୍ଗରେ ବିଧାନସଭା ଓ ଲୋକସଭା ଭୋଟ ଗଣତି ହେଉଥିବାରୁ ପାଖାପାଥି ୪୦ ରାଉଣ୍ଡ ଯାଏ ଭୋଟ ଗଣତି ହେବ । ଗ୍ରୀଷ୍ଣ ପ୍ରବାହକୁ ଦୃଷ୍ଟିରେ ରଖି  ପ୍ରଥମ ଥର ପାଇଁ ରାଜ୍ୟର ସବୁ କାଉଣ୍ଟିଂ ହଲକୁ ଏୟାର କଣ୍ଡିସନ୍ କରାଯିବ । ଏନେଇ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆ ସରିଛିବୋଲି ରାଜ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି ।

 ଯେଉଁ ରିଟଣ୍ଣିଂ ଅଫିସର  ଦାୟିତ୍ବରେ ଅଛନ୍ତି  ସେମାନେ କିପରି କାଉଣ୍ଟିଂ ସେଣ୍ଟର ପ୍ରସ୍ତୁତି କରିବେ । କାଉଣ୍ଟିଂ ସେଣ୍ଟରକୁ କିପରି ଇଭିଏମ ଆସିବ ଓ କିପରି ଖୋଲାଯିବ ଓ କେଉଁ ପ୍ରକ୍ରିୟାରେ ଭୋଟ ଗଣତି ହେବ ତାହା ଦେଖାଇବାକୁ ଡେମୋ ସେଣ୍ଟର କରାଯାଇଛି ।

ଭୋଟ ସମୟରେ ଭିଭିନ୍ନ ସ୍ଥାନରେ ଇଭିଏମ ଓ ଭିଭିପ୍ୟାଟ ତୃଟି ଯୋଗୁ ଭୋଟରେ ବାଧା ପ୍ରାପ୍ତ ହୋଇଥିଲା । ଆଉ ଏବେ କାଉଣ୍ଟିଂ ସମୟରେ ଯେପରି କିଛି ତୃଟି କି ଅସୁବିଧା ନ ହୁଏ ସେଥିପ୍ରତି ଗୁରୁତ୍ବ ଦେଇଛନ୍ତି ସିଇଓ । ସେପଟେ ଗଣତି ଦିନ ଯେତିକି ପାଖେଇ ଆସୁଛି ନେତାଙ୍କ ଛାତି ଧଡ ଧଡ ସେତିକି ବଢୁଛି ।