ଓଡିଶା ବଜେଟ: ଦେଢ ଲକ୍ଷ କୋଟିର ଚିଠା ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ବର: ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୧.୫୦ ଲକ୍ଷ କୋଟି ଟଙ୍କାର ରାଜ୍ୟ ପୂର୍ଣ୍ଣାଙ୍ଗ ବଜେଟ ଚିଠା ପ୍ରସ୍ତାବକୁ ଅନୁମୋଦନ । ଶୁକ୍ରବାର ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ମନ୍ତ୍ରୀ ପରିଷଦର ବୈଠକ ଗ୍ରୀନ ସିଗନାଲ ଦିଆଯାଇଛି ।

ଏହି ବୈଠକରେ ମନ୍ତ୍ରୀ ପରିଷଦର ସମସ୍ତ ସଦସ୍ୟ ଉପସ୍ଥିତ ରହି ୨୦୨୦-୨୧ ଆର୍ଥିକ ବର୍ଷରେ କେଉଁ ବିଭାଗକୁ କେତେ ଟଙ୍କା ବ୍ୟୟ ବରାଦ କରାଯିବ ? କେଉଁ କେଉଁ ଦିଗ ଉପରେ ଗୁରୁତ୍ବ ଦିଆଯିବ ଏବଂ କେଉଁ ବିଭାଗର ଖର୍ଚ୍ଚ କାଟ୍ ହେବ , ସେ ସମ୍ପର୍କରେ ବିସ୍ତୃତ ଆଲୋଚନା ସହ ପ୍ରସ୍ତୁତ ଚିଠାରେ ମୋହର ଲଗାଯାଇଛି ।

୨୦୧୯-୨୦ ଆର୍ଥିକ ବର୍ଷରେ ବଜେଟ ଅଟକଳ ୧.୩୯ ଲକ୍ଷ କୋଟି ଟଙ୍କା ରହିଛି । ତେବେ ବିଭିନ୍ନ ପଦକ୍ଷେପ ଓ ଯୋଜନା ଲାଗୁ ନେଇ ୨୦୨୦-୨୧ ବର୍ଷର ବଜେଟର ଆକାର ବୃଦ୍ଧି ପାଇପାରେ । ତଥ୍ୟ ଅନୁସାରେ ୨୦୨୦-୨୧ ଆର୍ଥିକ ବର୍ଷରେ ବଜେଟର ପରିମାଣ ୧.୫୦ଲକ୍ଷ କୋଟି ଟଙ୍କା ଆକଳନ କରାଯାଇଛି ।

ଆସନ୍ତା ୧୪ରେ ବିଧାନସଭାରେ ବଜେଟ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ୧୮ରେ ଅର୍ଥମନ୍ତ୍ରୀ ଗୃହରେ ବଜେଟ ଆଗତ କରିବେ । ଗତଥର ଅପେକ୍ଷା ଏଥର କେନ୍ଦ୍ରୀୟ ଅନୁଦାନ ଯଥେଷ୍ଟ ହ୍ରାସ ପାଇଛି । ବିଶେଷ କରି, ପଂଚଦଶ ଅର୍ଥ କମିଶନ, ମନରେଗା ,ପାନୀୟ ଜଳ ପ୍ରକଳ୍ପ ଓ ରେଳ ବଜେଟରେ କେନ୍ଦ୍ରୀୟ ଅନୁଦାନର ହାର ଯଥେଷ୍ଟ କମିଯାଇଥିବାରୁ ବଜେଟ ପ୍ରସ୍ତୁତି ରାଜ୍ୟ ସରକାରଙ୍କ ପାଇଁ ଚ୍ୟାଲେଞ୍ଜିଂ ରହିଛି ।

‘ମୋ ସରକାର ଓ ୫ଟି’ କାର୍ଯ୍ୟକ୍ଷମ ହେବା ପରେ ରାଜ୍ୟ ସରକାର ସର୍ବାଧିକ ଭିତିଭୂମିର ବିକାଶ ଓ ସାମାଜିକ କ୍ଷେତ୍ରକୁ ଗୁରୁତ୍ଵ ଦେଇଛନ୍ତି । ଏଭଳି ସ୍ଥିତିରେ ବଜେଟର ରୂପରେଖ କଣ ରହିବ ତାହା ଆସନ୍ତା ୧୮ତାରିଖରେ ସ୍ପଷ୍ଟ ହେବ ।