ନୂଆଦିଲ୍ଲୀ: କିଛି ଦିନ ତଳେ କରୋନା ରୋଗୀଙ୍କୁ ‘କରୋନିଲ’ ଔଷଧ ସୁସ୍ଥ କରିଦେଉଥିବା ଦାବି କରି ଚର୍ଚ୍ଚାକୁ ଆସିଥିଲେ ଯୋଗଗୁରୁ ବାବା ରାମଦେବ | କିନ୍ତୁ ଏବେ ସେ ପ୍ରସ୍ତୁତ କରିଥିବା ଔଷଧ ପାଇଁ ତାଙ୍କ ନାମରେ ଏତଲା ରୁଜୁ ହୋଇଥିବା ଜଣାପଡିଛି | ରାଜସ୍ଥାନର ଜୟପୁରରେ ବାବା ରାମଦେବ, ପତଞ୍ଜଳି ଆୟୁର୍ବେଦ ସିଇଓ ଆଚାର୍ଯ୍ୟ ବାଲକ୍ରିଷ୍ଣା ଏବଂ ଅନ୍ୟ ତିନିଜଣଙ୍କ ବିରୋଧରେ ଏଫଆଇଆର କରାଯାଇଛି। ବାବା ରାମଦେବ ପତଞ୍ଜଳି ଆୟୁର୍ବେଦ ଔଷଧ ‘କରୋନିଲ’କୁ କରୋନା ଭୁତାଣୁ ଔଷଧ ଭାବରେ ପ୍ରଚାର କରି ଦେଶର ଲୋକଙ୍କୁ ବିଭ୍ରାନ୍ତ କରିଛନ୍ତି ବୋଲି ଏଫଆଇଆର ଅଭିଯୋଗ କରାଯାଇଛି।
ଜୟପୁରର ଜ୍ୟୋତି ନଗର ପୁଲିସ ଷ୍ଟେସନରେ ବାବା ରାମଦେବ, ତାଙ୍କ ସହଯୋଗୀ ତଥା ପତଞ୍ଜଳି ଆୟୁର୍ବେଦର ସିଇଓ ଆଚାର୍ଯ୍ୟ ବାଲକ୍ରିଷ୍ଣା, ବୈଜ୍ଞାନିକ ଅନୁରାଗ ଭାରସନି, ଏନଏମଏସ ଅଧ୍ୟକ୍ଷ ବଲବୀର ସିଂ ତୋମାର ଏବଂ ନିର୍ଦ୍ଦେଶକ ଅନୁରାଗ ତୋମାରଙ୍କ ବିରୋଧରେ ଏଫଆଇଆର ଦାଖଲ କରାଯାଇଛି। ଏଫ୍ଆଇଆରରେ ଏହି ଲୋକମାନେ ‘କରୋନିଲ’କୁ କରୋନା ଭାଇରସର ଔଷଧ ବୋଲି କହି ପ୍ରଚାର କରି ଦେଶକୁ ବିଭ୍ରାନ୍ତ କରୁଥିବା ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ, ଏହା ପୂର୍ବରୁ ବିହାରର ଏକ କୋର୍ଟରେ ରାମଦେବ ଏବଂ ଆଚାର୍ଯ୍ୟ ବାଲାକ୍ରିଷ୍ଣାଙ୍କ ବିରୋଧରେ ଏକ ଅପରାଧିକ ଅଭିଯୋଗ ମଧ୍ୟ ଦାଖଲ କରାଯାଇଥିଲା | ଏହି ଲୋକମାନେ କରୋନା ଭୂତାଣୁର ଚିକିତ୍ସା ପାଇଁ ଔଷଧ ତିଆରି କରିବାକୁ ଦାବି କରି ଲକ୍ଷ ଲକ୍ଷ ଲୋକଙ୍କୁ ବିଭ୍ରାନ୍ତ କରିଛନ୍ତି ବୋଲି ଅଭିଯୋଗ କରାଯାଇଥିଲା ।