ଚୀନରେ ୨୫ଶହ ଟପିଲା କୋରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଚୀନରେ କରାଳ ରୂପ ଧାରଣ କଲାଣି କୋରୋନା ଭାଇରସ । ଏଥିରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଆଜି ସୁଦ୍ଧା ୭୭ ହଜାର ୧୫୦ ଲୋକ ଭାଇରସରେ ଆକ୍ରାନ୍ତ ହୋଇଥିବାବେଳେ ୨,୫୯୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ରବିବାର, ୧୫୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪୦୯ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୧୫୦ ମୃତକଙ୍କ ମଧ୍ୟରୁ ହୁବଇ ଅଂଚଳରୁ ୧୪୯ଜଣଙ୍କ ମୃତ୍ୟୁ ହୋଇଥିବା ଖବର ଆସିଥିବାବେଳେ ହଇନାନ ଅଂଚଳରେ ଜଣଙ୍କର ଜୀବନ ଯାଇଛି ।

ସେହିପରି ରବିବାର ୬୨୦ ଜଣ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଥିବା କୁହାଯାଇଛି । ସେପଟେ ସମୁଦାୟ ୨୪, ୭୩୪ ଜଣ ଲୋକ ରବିବାର ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେପଟେ କେବଳ ଚୀନ ନୁହେଁ ବିଶ୍ବର ଅନ୍ୟ ଦେଶ ବି ଏହି ଭାଇରସରେ ବ୍ୟଥିତ ହେଉଛି । ଜାପାନରେ ୮୩୮, ଦକ୍ଷିଣ କୋରିଆରେ ୭୬୩, ଇଟାଲୀରେ ୧୫୨, ସିଙ୍ଗାପୁରରେ ୮୯, ହଂକଂରେ ୭୪, ଇରାନରେ ୪୩, ଥାଇଲାଣ୍ଡରେ ୩୫, ଆମେରିକାରେ ୩୫ ତାଇୱାନରେ ୨୮, ଅଷ୍ଟ୍ରଲିଆରେ ୨୩, ମାଲେସିଆରେ ୨୨, ଜର୍ମାନୀରେ ୧୬, ଭିଏତନାମାରେ ୧୬, ଫ୍ରାନ୍ସରେ ୧୨, ୟୁଏଇରେ ୧୧, ଭାରତରେ ୩, ୟୁକେରେ ୯, କାନାଡାରେ ୯, ଫିଲିପାଇନ୍ସରେ ୩, ଋଷିଆରେ ୨, ସ୍ପେନରେ ୨, ଇସ୍ରାଇଲ, ଇଜିପ୍ଟ, ନେପାଳ, ଶ୍ରୀଲଙ୍କା, ସ୍ବିଡେନ, ବେଲଜିୟମ୍‌, ଫିନଲାଣ୍ଡ, କାମ୍ବଡିଆ ଓ ଲେବାନନରେ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଥିବା ଦକ୍ଷିଣ ଚୀନର ଏକ ଗଣମାଧ୍ୟମ ଛପାଯାଇଥିବା ଖବରରୁ ଜଣାପଡିଛି ।

ଏହାସହ ଇରାନରେ ୮, ଦକ୍ଷିଣ କୋରିଆରେ ୭, ଜାପାନରେ ୪, ଇଟାଲୀରେ ୩, ହଂକଂରେ ୨, ଫ୍ରାନ୍ସରେ ଜଣେ, ତାଇୱାନରେ ଜଣେ ଓ ଫିଲିପାଇନ୍ସରେ ଜଣଙ୍କର ମୃତ୍ୟୁ ଘଟିଥିବା ମଧ୍ୟ ଏଥିରେ ଉଲ୍ଲେଖ ରହିଛି ।