ଭାରତରେ କୋରୋନା ଭାଇରସ୍ ରେ ୨ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ଭାରତରେ କୋରୋନା ଭାଇରସ ଯୋଗୁଁ ୨ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତି ହୋଇଥିବା ଜନକପୁରୀ ଅଂଚଳ ର ଜଣେ ୬୯ ବର୍ଷୀୟ ମହିଳା ଶୁକ୍ରବାର ରାତି ଜୀବନ ହରାଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି । ମହିଳାଙ୍କୁ ଡାଇବେଟଜ ଓ ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ଥିଲା ।

ସ୍ୱାସ୍ଥ୍ୟ ସଚିବ ପ୍ରୀତି ସୁଦନ କହିଛନ୍ତି, ଏହି ବରିଷ୍ଠ ମହିଳା ପୁଅର ସଂପର୍କରେ ଆସିବାରୁ କୋରୋନା  ଭାଇରସ ଛୁଇଁଥିଲା । ପୁଅ ଜାପାନ, ଜେନିଭା ଓ ଇଟାଲୀରୁ ଦିଲ୍ଲୀ ଫେରିଥିଲେ । ସେ ଘରକୁ ଫେରିବା ପରେ ଜ୍ୱର ଓ ଥଣ୍ଡା ସହ କାଶର ସମ୍ମୁଖୀନ ହୋଇଥିଲେ । କିଛି ଦିନ ପରେ ମା’ଙ୍କୁ ମଧ୍ୟ ଥଣ୍ଡା ଜ୍ୱର ହେବାରୁ ପୁଅଙ୍କ ସହ ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସବୁଠାରୁ ବଡ଼ କଥା ହେଲା ଯେ, ପରିବାର ଆଉ କୌଣସି ବ୍ୟକ୍ତିଙ୍କୁ କୋରୋନା ଭାଇରସ ଛୁଇଁ ନାହିଁ ।

ଏବେ ପୂରା ଭାରତରେ କୋରୋନା ଭାଇରସର ସଂକ୍ରମଣରେ ମୋଟ ୮୨ ଜଣ ସଂକ୍ରମିତ ହୋଇଛନ୍ତି । ଏଥିରେ ୧୭ ଜଣ ବିଦେଶୀ ନାଗରିକ ସାମିଲ ଅଛନ୍ତି । କେରଳରେ କୋରାନାରେ ସଂକ୍ରମିତ ତିନି ଜଣ ଲୋକ ଠିକ ହୋଇସାରିଛନ୍ତି ।

ସୂଚନାଯୋଗ୍ୟ ପୂର୍ବରୁ କର୍ଣ୍ଣାଟକର କାଲବୁର୍ଗୀରେ ଗୁରୁତର ହେବା ପରେ ୭୬ ବର୍ଷିଅ ବୃଦ୍ଧ ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା । କରୋନା ସଂକ୍ରମିତ ଯୋଗୁଁ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଗୁରୁବାର ସ୍ପଷ୍ଟ ହୋଇଥିଲା । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟ ଏହି ମାମଲାର ସ୍ପଷ୍ଟୀକରଣ କରିଥିଲେି । ମନ୍ତ୍ରାଳୟ ତରଫରୁ କୁହାଯାଇଥିଲା ଯେ, ବୃଦ୍ଧଙ୍କୁ ଆହୁରି ମଧ୍ୟ ରୋଗ ହୋଇଥିଲା । ଏଥିରେ ହାଇପରଟେନଶନ ଏବଂ ଅସ୍ଥମା ମଧ୍ୟ ସାମିଲ । ମାତ୍ର ରକ୍ତ ନମୁନାରେ କୋରୋନା ଭାଇରସ ମଧ୍ୟ ମିଳିଥିଲା । ମଙ୍ଗଳବାର କାଲବୁର୍ଗୀରେ ମହମ୍ମଦ ହୁସେନ ସିଦ୍ଦିକୀ ନାମରେ ଜଣେ ବରିଷ୍ଠ ନାଗରିକଙ୍କ ମୃତ୍ୟୁ ହୋଇଥିଲା ଏବଂ ଅଧିକାରୀମାନେ ଏହା ସନ୍ଦେହ କରିଥିଲେ ଯେ, କୋରୋନା ଭାଇରସ ଯୋଗୁଁ ଏହା ଘଟିଛି । ଏବେ ରକ୍ତ ନମୁନା ଯାଂଚ କରିବା ପରେ ଏହା ସ୍ପଷ୍ଟ ହୋଇଛି ଯେ ସଂପୃକ୍ତ ବୃଦ୍ଧ ବ୍ୟକ୍ତି କୋରୋନା ଭାଇରସ ଦ୍ୱାରା ସଂକ୍ରମିତ ଥିଲେ । ଫଳରେ ତାଙ୍କର ମୃତ୍ୟୁ ଘଟିଛି ।

କର୍ଣ୍ଣାଟକର ସ୍ୱାସ୍ଥ୍ୟ ବିଭାଗର କମିଶନରଙ୍କ ଅନୁସାରେ ୭୬ ବର୍ଷିଅ ସିଦ୍ଧିକୀଙ୍କ ରକ୍ତ ନମୁନା ଯାଂଚ ପରେ କୋରୋନାରେ ସଂକ୍ରମିତ ହେବାର ସ୍ପଷ୍ଟ ହୋଇଥିଲା । ଏବେ ସ୍ୱାସ୍ଥ୍ୟ ବିଭାଗ ଏହା ଜାଣିବାକୁ ପାଇଛି ଯେ, ଏହି ବୃଦ୍ଧ ବ୍ୟକ୍ତି କେଉଁମାନଙ୍କ ସଂପର୍କରେ ଆସିଥିଲେ । ତେଲେଙ୍ଗାନା ସରକାରଙ୍କୁ ମଧ୍ୟ ଏହା ଅବଗତ କରାଯାଇଛି ଯେ, ସିଦ୍ଦିକି କରୋନା ଦ୍ୱାରା ସଂକ୍ରମିତ ଥିଲେ । ଅଧିକାରୀମାନେ ଜାଣିବାକୁ ପାଇଛନ୍ତି ଯେ, ସିଦ୍ଦିକୀ ତେଲେଙ୍ଗାନାର ଏକ ଡାକ୍ତରଖାନାରେ ଭର୍ତି ହୋଇଥିଲେ ।