ରାଷ୍ଟ୍ରପତି ଭବନକୁ ଛୁଇଁଲା କରୋନା

ନୂଆଦିଲ୍ଲୀ: ଶେଷରେ କରୋନା ଭାଇରସ୍ ରାଷ୍ଟ୍ରପତି ଭବନକୁ ଛୁଇଁଲା ।  ରାଷ୍ଟ୍ରପତି ଭବନରେ ନଜ ପରିବାର ସହିତ ରହୁଥିବା ଜଣେ ମହିଳା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ପରେ ପୂରା ରାଷ୍ଟ୍ରପତି ଭବନ ପରିସରରେ କରୋନା ସଂକ୍ରମଣକୁ ନେଇ ଚର୍ଚ୍ଚା ହେଉଛି । ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଲା ଯେ, ମହିଳାଙ୍କ ସ୍ୱାମୀ ରାଷ୍ଟ୍ରପତି ଭବନରେ କାର୍ଯ୍ୟରତ ଅଣ୍ଡର ସେକ୍ରେଟାରୀ ସ୍ତରର ଜଣେ ଆଇଏଏସ ଅଧିକାରୀଙ୍କ କାର୍ଯ୍ୟାଳୟରେ କାମ କରନ୍ତି । ଏହାକୁ ଦୃଷ୍ଟିରେ ରଖି ସଂପୃକ୍ତ ସଚିବଙ୍କ ସମେତ ୧୧ ଜଣଙ୍କୁ କ୍ୱାରେନଂଟାଇନ୍ ରେ ରଖାଯାଇଛି । 

ରାମ ମନୋହର ଲୋହିଆ ହସ୍ପିଟାଲରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ମହିଳାଙ୍କ ଚିକିତ୍ସା କରାଯାଉଛି । ତାଙ୍କର ସ୍ୱାମୀ ଓ ପରିବାରର ଅନ୍ୟ ସଦସ୍ୟଙ୍କ ବ୍ୟତୀତ ପଡୋଶୀର ଅନ୍ୟ ୨ଟି ଘରେ ରହୁଥିବା ମୋଟ ୧୧ ଜଣଙ୍କୁ ହୋମ କ୍ୱାରେନଂଟାଇନ୍ ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । କୁହାଯାଉଛି ଯେ, ରାଷ୍ଟ୍ରପତି ଭବନ ପରିସରରେ କାର୍ଯ୍ୟରତ ୧୦୦ରୁ ଅଧିକ ସଫେଇ କର୍ମୀ, ମାଳି ଓ ଅନ୍ୟ ଲୋକେ ମହିଳାଙ୍କ ସ୍ୱାମୀଙ୍କ ସଂସ୍ପର୍ଶରେ ଆସିଥିଲେ । ଅନ୍ୟ ସମସ୍ତଙ୍କୁ ସାବଧାନ ରହିବାକୁ ପରାମର୍ଶ ଦିଆଯାଇଛି । ଏହି ଘଟଣା ଜଣାପଡ଼ିବା ପରେ ରାଷ୍ଟ୍ରପତି ଭବନରେ ସତର୍କତା ବଢ଼ାଇ ଦିଆଯାଇଛି ।

ପ୍ରଶାସନିକ ସୂତ୍ରରୁ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ରାଷ୍ଟ୍ରପତି ଇଷ୍ଟେଟରେ ରହୁଥିବା ମହିଳାଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛନ୍ତି । ବିଗତ ଦିନରେ ମହିଳାଙ୍କ ଶାଶୂଙ୍କ କରୋନା ଯୋଗୁଁ ମୃତ୍ୟୁ ହୋଇଥିଲା । ସେ ବାଡା ହିନ୍ଦୁରାଓ ଅଂଚଳରେ ରହୁଥିଲେ । କୁହାଯାଉଛି ଯେ, କରୋନା ପୀଡ଼ିତ ନିଜର ଶାଶୂଙ୍କ ସଂପର୍କରେ ଆସିବା କାରଣରୁ ନିଜେ ବି ସଂକ୍ରମିତ ହୋଇଛନ୍ତି । ସ୍ୱାସ୍ଥ୍ୟ ଖରାପ ହେବ ଏବଂ କରୋନାର ଲକ୍ଷଣ ଦେଖାଯିବା ପରେ ମହିଳାଙ୍କ ସ୍ୱାବ ନମୁନା ପରୀକ୍ଷା କରାଯାଇଥିଲା ଏବଂ ଯେତେବେଳେ ରବିବାର ତାଙ୍କର ରିପୋର୍ଟ ପଜିଟିଭ ଆସିଥିଲା ସଂପୂର୍ଣ୍ଣ ରାଷ୍ଟ୍ରପତି ଭବନରେ ଆଲୋଚନା ହୋଇଥିଲା । ଏହା ପରେ ପ୍ରଶାସନ ଓ ପୋଲିସ ଏଠାରେ ପହଂଚି ମହିଳା ଓ ତାଙ୍କ ପରିବାର ସଂପର୍କରେ ଆସିଥିବା ଲୋକଙ୍କୁ କ୍ୱାରେନଂଟାଇନ୍ ରେ ରଖାଯାଇଥିଲା । ମହିଳାଙ୍କ ଝିଅ ସାମାନ୍ୟ ଲକ୍ଷଣ ଦେଖାଯାଇଥିଲେ ବି ତାଙ୍କର ନମୁନା ରିପୋର୍ଟ ନେଗେଟିଭ ଆସିଥିଲା ।