ଆସନ୍ତାକାଲିଠାରୁ ପୁଣିଥରେ ପ୍ରସାରଣ ହେବ ରାମାୟଣ

ନୂଆଦିଲ୍ଲୀ: କୋରୋନା ପାଇଁ ପ୍ରଧାନମନ୍ତ୍ରୀ ଦେଶକୁ ୨୧ଦିନ ପାଇଁ ଲକ୍ ଡାଉନ୍ ଘୋଷଣା କରିଛନ୍ତି । ତେବେ ଲୋକମାନେ ଏହି ସମୟରେ ଘରେ ବସି ବିରକ୍ତ ହେଉଛନ୍ତି । ଏହି କାରଣରୁ କେନ୍ଦ୍ର ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଲୋକଙ୍କ ମନୋରଞ୍ଜନ ପାଇଁ ଆସନ୍ତାକାଲିଠାରୁ ଦୂରଦର୍ଶନରେ ସବୁଠାରୁ ଲୋକପ୍ରିୟ କାର୍ଯ୍ୟକ୍ରମ ରାମାୟଣ ପ୍ରସାରଣ ହେବାକୁ ଯାଉଛି । ଏ ନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ଘୋଷଣା କରିଛନ୍ତି, ଆସନ୍ତା କାଲିଠାରୁ ଦୂରଦର୍ଶନରେ ପ୍ରସାରିତ ହେବ ରାମାନନ୍ଦ ସାଗରଙ୍କ ରାମାୟଣ।

ପ୍ରକାଶ ଜାଭେଦକର ଟ୍ୱିଟରରେ ସୂଚନା ଦେଇ କହିଛନ୍ତି ଲୋକମାନଙ୍କ ଅନୁରୋଧ ରକ୍ଷା କରି ଆସନ୍ତାକାଲି ଅର୍ଥାତ ଶନିବାର ୨୮ ମାର୍ଚ୍ଚରୁ ଦୂରଦର୍ଶନରେ ରାମାୟଣ ପୁଣି ଥରେ ପ୍ରସାରଣ କରାଯିବା ଲାଗି ନିଷ୍ପତି ନିଆଯାଇଛି। ଦୂରଦର୍ଶନରେ ସକାଳ ୯ ଟା ସମୟରେ ଗୋଟିଏ ଅଧ୍ୟାୟ ଏବଂ ରାତି ୯ ଟା ରେ ଆଉ ଏକ ଅଧ୍ୟାୟ ପ୍ରସାରିତ ହେବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ।