ଭାରତରେ ବ୍ୟାପୁଛି କୋରୋନା ଭାଇରସ: ଆକ୍ରାନ୍ତଙ୍କ ସଂଖ୍ୟା ୪୩ରେ ପହଂଚିଲା

ନୂଆଦିଲ୍ଲୀ: ଚୀନରେ ଆରମ୍ଭ ହୋଇଥିବା କୋରୋନା ଭାଇରସ ଏବେ ଅନ୍ୟ ଦେଶକୁ ବ୍ୟାପିବାରେ ଲାଗିଛି । ଯେଉଁଥିରୁ ବାଦ୍ ପଡିନି ଭାରତ । ତେବେ ଆଜି ସୁଦ୍ଧା କୋରୋନା ଭାଇରସର ଶିକାର ହେଲେଣି ୪୩ଜଣ ।

ଭାରତରେ କୋରୋନା ସଂକ୍ରମଣ ନେଇ ସବିଶେଷ ତଥ୍ୟ ଦେଇ ଅଧିକାରୀମାନେ କହିଛନ୍ତି ଯେ, ଜମ୍ମୁ-କଶ୍ମୀରରେ କରୋନା ଦ୍ବାରା ଆକ୍ରାନ୍ତ ହୋଇଥିବା ରୋଗୀ ଇରାନରୁ ଫେରିବା ପରେ ଏହି ଭାଇରସର ଶିକାର ହୋଇ ସାରିଥିବା ଜଣା ପଡ଼ିଥିଲା। ସେହିଭଳି ଦିଲ୍ଲୀରେ ଆକ୍ରାନ୍ତ ହୋଇଥିବା ରୋଗୀ ଏବଂ କରେଳରେ ଆକ୍ରାନ୍ତ ହୋଇଥିବା ରୋଗୀ ଇଟାଲୀରୁ ଫେରିବା ପରେ ସେମାନଙ୍କ ଶରୀରରେ କୋରୋନା ଭାଇରସ ପ୍ରବେଶ କରି ସାରିଥିବାର ଲକ୍ଷଣ ଦେଖାଯାଇଥିଲା। ଉତର ପ୍ରଦେଶର ମିରଟ ସହରରୁ ଚିହ୍ନଟ କରାଯାଇଥିବା ଚତୁର୍ଥ ରୋଗୀ ଆଗ୍ରାରେ ଥିବା ୬ଜଣ କରୋନା ଆକ୍ରାନ୍ତଙ୍କ ସଂଶ୍ପର୍ଷରେ ଆସିବା ପରେ କୋରୋନାର ଶିକାର ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ୯୦ରୁ ଅଧିକ ଦେଶରେ ୧୧୦,୦୪୧ଲୋକ ଏହି ରୋଗ ଦ୍ବାରା ଶିକାର ହୋଇସାରିଥିବା ବେଳେ ଏ ପର୍ଯ୍ୟନ୍ତ ୩,୮୨୫ଜଣଙ୍କର ମୃତ୍ୟୁ ଘଟିଛି। ଧିରେ ଧିରେ ଏହାର ସଂଖ୍ୟା ବଢ଼ିବାର ଆଶଙ୍କା ଥିବାରୁ ପରିସ୍ଥିତିର ମୁକାବିଲା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପ୍ରସ୍ତୁତ ଥିବା କହିଛି।