କୋରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ୱର: ରାଜ୍ୟରେ କୋରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବେଦନ । ଏହି ସଂକ୍ରମଣରୁ କିଭଳି ନଜକୁ ରକ୍ଷା କରିବେ ସେ ନେଇ ଟୁଇଟ କରି ପରାମର୍ଶ ଦେଇଛନ୍ତି । ତେବେ କୋରୋନାକୁ ରୋକିବାକୁ ହେଲେ ସମସ୍ତଙ୍କର ସହାୟତା ଆବଶ୍ୟକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପୁଥିବା ଏହି କୋରୋନା ଭୂତାଣୁ ସଂକ୍ରମଣ ସମଗ୍ର ମାନବ ସମାଜ ପାଇଁ ଏକ ପ୍ରମୁଖ ଆହ୍ୱାନ ଭାବେ ଉଭା ହୋଇଛି । ଏହାର ସଫଳ ପ୍ରତିରୋଧ ପାଇଁ ପ୍ରତ୍ୟେକ ସ୍ତରରେ ସାମୁହିକ ଉଦ୍ୟମର ଆବଶ୍ୟକତା ରହିଛି ଏବଂ ସମସ୍ତଙ୍କ ସହଯୋଗରେ ଓଡିଶା ଏହାର ଉପଯୁକ୍ତ ମୁକାବିଲା କରିବାରେ ସମର୍ଥ ହେବ ବୋଲି କହିଛନ୍ତି ନବୀନ ।

ଏଥିସହିତ ସାମାଜିକ ଜନସମାଗମରେ ଲୋକଙ୍କଠାରୁ ଦୂରେଇ ରହିବା ଦ୍ୱାରା କୋରୋନା ଭୁତାଣୁ ସଂକ୍ରମଣ ରୋକିବାରେ ସବୁଠାରୁ ଫଳପ୍ରଦ ଉପାୟ ବୋଲି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଧାର୍ମିକ ଉତ୍ସବ, ବିବାହ ବ୍ରତ ଆଦି ସାମାଜିକ ଜନସମାଗମଠାରୁ ଦୂରରେ ରହିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ନବୀନ । ଘର ଭିତରେ ରହିବା, ଜନଗହଳିକୁ ବର୍ଜନ କରିବା ଓ ଅନ୍ୟମାନଙ୍କ ସହ ମିଳାମିଶାକୁ କମ୍ କରିବା ଦ୍ୱାରା ଏହି ରୋଗର ଆଶଙ୍କାକୁ ଯଥେଷ୍ଟ ପରିମାଣରେ ହ୍ରାସ କରାଯାଇପାରେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ କୌଣସି ଗୁଜବ ତଥା ଉଡ଼ା ଖବରକୁ ବିଶ୍ୱାସ ନ କରିବା ପାଇଁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।