ଅନ୍ତଃରାଜ୍ୟ ଓ ରାଜ୍ୟ ଭିତରେ ଯାତାୟାତ ଉପରେ ରୋକ ନ ଲଗାଇବାକୁ ସବୁ ରାଜ୍ୟକୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ପାଇଁ ରାଜ୍ୟଗୁଡ଼ିକ ନିଜ ଇଚ୍ଛା ଅନୁସାରେ କଟକଣା ଲଗାଉଥିବାରୁ ଏଥିରେ ଅସନ୍ତୋଷ ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର। ବିଶେଷ କରି ‌ଅନ୍ତଃରାଜ୍ୟ ଓ ରାଜ୍ୟ ଭିତରେ ଯାତାୟାତ ଉପରେ କିଛି ସ୍ଥାନରେ କଟକଣା ଲାଗିଥିବା ଖବର ମିଳିବା ପରେ କେନ୍ଦ୍ର ସରକାର ଆକ୍ସନ ମୋଡକୁ ଚାଲି ଆସିଛନ୍ତି।

ଅନ୍ତଃରାଜ୍ୟ ଓ ରାଜ୍ୟ ଭିତରେ ଲୋକଙ୍କ ଚଳପ୍ରଚଳ କିମ୍ବା ଗାଡ଼ି ମଟର ଯାତାୟାତ ଉପରେ କୌଣସି କଟକଣା ନ ଲଗାଇବାକୁ ଆଜି କେନ୍ଦ୍ର ଗୃହ ସଚିବ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି। ଚିଠିରେ କୁହାଯାଇଛି ଯେ ଏକାଧିକ ରାଜ୍ୟର ଜିଲ୍ଲା ପ୍ରଶାସନମାନେ ନିଜ ଇଚ୍ଛା ଅନୁସାରେ ଅନ୍ତଃରାଜ୍ୟ ଓ ରାଜ୍ୟ ଭିତରେ ଲୋକଙ୍କ ଚଳାଚଳ ଉପରେ ରୋକ ଲଗାଉଥିବା ଖବର ଆସିଛି।

ଏଭଳି କଟକଣା ସପ୍ଲାଏ ଚେନ, ଅର୍ଥନୀତି ଓ ନିଯୁକ୍ତି ଉପରେ ଗୁରୁତର ପ୍ରଭାବ ପକାଉଛି। ଅନଲକ-୩ ଗାଇଡଲାଇନର ପାରା ୫ରେ ସ୍ପଷ୍ଟ ଭାବେ କୁହାଯାଇଥିଲା ଯେ ଅନ୍ତଃରାଜ୍ୟ ଓ ରାଜ୍ୟ ଭିତରେ ଲୋକଙ୍କ ଚଳାଚଳ ପାଇଁ କୌଣସି ସ୍ୱତନ୍ତ୍ର ଇ-ପାସ୍‌ର ଆବଶ୍ୟକ ନାହିଁ। ତେଣୁ ଯେଉଁ ରାଜ୍ୟରେ ଏଭଳି କଟକଣା ଲାଗିଛି, ସେମାନେ କେନ୍ଦ୍ର ଗାଇଡଲାଇନର ଉଲ୍ଲଙ୍ଘନ କରୁଛନ୍ତି ବୋଲି ସଚିବ ଅଜୟ ଭଲ୍ଲା ଚିଠିରେ ଉଲ୍ଲେଖ କରିଛନ୍ତି। କଟକଣାକୁ ରାଜ୍ୟଗୁଡ଼ିକ ତୁରନ୍ତ ଉଚ୍ଛେଦ କରି ଚଳପ୍ରଚଳ ପାଇଁ ଅନୁମତି ଦେବା ଉଚିତ।