ନୂଆଦିଲ୍ଲୀ: ଅସୁସ୍ଥତା ଯୋଗୁଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ।୧୪ ସେପ୍ଟେମ୍ବରରେ ସିସୋଦିଆ କରୋନାରେ ଆକ୍ରାନ୍ତ ହୋଇଥିଲେ । ଏହା ପରେ ସେ ହୋମ ଆଇସୋଲେସନରେ ରହିଥିଲେ । ତେବେ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଏଲଏନଜିପି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସେପ୍ଟେମ୍ବର ୧୪ରେ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଥିଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ସେ କୋଭିଡ ପରୀକ୍ଷା କରାଇଥିବା ବେଳେ ପଜିଟିଭ ଚିହ୍ନଟ ହୋଇଥିଲେ । ଏନେଇ ନିଜେ ଟୁଇଟ କରି ସୂଚନା ଦେଇଥିଲେ ମନୀଷ ।
ମନୀଷ ନିଜ ଟୁଇଟରରେ ଲେଖିଥିଲେ, ସମସ୍ତଙ୍କ ଆଶୀର୍ବାଦ କାରଣରୁ ଖୁବ ଶୀଘ୍ର ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଫେରିବି । ଆମ ଆଦମୀ ପାର୍ଟିର ୩ ବିଧାୟକ ଗିରିଶ ସୋନୀ, ପ୍ରମିଳା ଟୋକସ ଓ ବିଶେଷ ରବି ମଧ୍ୟ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଏହାସହ ଦିଲ୍ଲୀ ବିଧାନସଭାର ୩ କର୍ମଚାରୀ ମଧ୍ୟ କରୋନା ପଜିଟିଭ ହୋଇଥିବା ଜଣାପଡିଥିଲା ।